ବାଇଡେନଙ୍କୁ କୋକେନ ଦେଉଛନ୍ତି ଅଜ୍ଞାତ ଲୋକ: ଟ୍ରମ୍ପଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୩।୭ : ହ୍ବାଇଟ ହାଉସରେ ନିକଟରେ ମିଳିଥିବା କୋକେନ ସମ୍ପର୍କରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କିଛି ଅଜ୍ଞାତ ବ୍ୟକ୍ତି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋକେନ ଦେଉଛନ୍ତି। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଏହି କୋକେନ ବାଇଡେନଙ୍କ ପାଇଁ ହେଉ କିମ୍ବା ନିଶା ସେବନ କରୁଥିବା ତାଙ୍କ ପୁଅ ହଣ୍ଟର୍‌ ପାଇଁ ଉଦ୍ଦିଷ୍ଟ ଥିଲା।

ଉଲ୍ଲେଖନୀୟ କଥା ହେଉଛି, ୱେଷ୍ଟ ୱିଙ୍ଗର ତଳ ମହଲା ପ୍ରବେଶ ଦ୍ୱାର ନିକଟରେ ଧଳା ପଦାର୍ଥ ମିଳିଥିଲା। ୱିଙ୍ଗର ବହୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କୋକେନ ମିଳିଥିଲା। ଏଠାରେ ହ୍ବାଇଟ ହାଉସ ପରିଦର୍ଶନ କରୁଥିବା ଅତିଥିମାନଙ୍କୁ ମୋବାଇଲ ଜମା କରିବାକୁ ପଡିଥାଏ। ଧଳା ପଦାର୍ଥ ଏକ ଛୋଟ, ଜିପର୍‌ ବ୍ୟାଗରେ ମିଳିଥିଲା।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହ୍ବାଇଟ ହାଉସରେ ମିଳୁଥିବା କୋକେନ କେବଳ ଏକ ଛୋଟ ଅଂଶ। ଆମେରିକାର ରାଷ୍ଟ୍ରପତିଙ୍କ ଭାଷଣ ସୂଚାଇ ଦେଇଛି ସେ ଡ୍ରଗ୍ସର ପ୍ରଭାବରେ ଅଛନ୍ତି। ଆପଣ ଦେଖିପାରିବେ ବାଇଡେନ ଭାଷଣ ଆରମ୍ଭରେ ଟିକିଏ ଠିକ ଥାନ୍ତି। ଭାଷଣର ଶେଷ ପର୍ଯ୍ୟନ୍ତ, ଭଲ ଭାବେ କହି ପାରନ୍ତି ନାହୀଁ। ସେ ମଞ୍ଚରୁ ଓହ୍ଲାଇବା ପାଇଁ ମଧ୍ୟ ରାସ୍ତା ଖୋଜି ପାରନ୍ତି ନାହିଁ । ଏଥିରୁ ଜଣାପଡୁଛି ହ୍ବାଇଟ ହାଉସରେ କିଛି ଚାଲିଛି।

ଆଜି ଯେତେବେଳେ ଆମେ ଆଣବିକ ଅସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ସହିତ କାରବାର କରୁଛୁ, ସେତେବେଳେ ଆମର ରାଷ୍ଟ୍ରପତି ଏଭଳି କାର୍ଯ୍ୟ କରିବା ନିନ୍ଦା ଜନକ। ସେ ଏହି ପଦବୀରେ ରହିବା ଅତ୍ୟନ୍ତ ବିପଜ୍ଜନକ ।

Share