Categories: ଜାତୀୟ

ମଣିପୁରରେ ପହଞ୍ଚିଲେ ପୁଣି ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାକର୍ମୀ…

ନୂଆଦିଲ୍ଲୀ,୭।୮ : ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ବାହିନୀର ୧୦ କମ୍ପାନୀ ସୁରକ୍ଷାକର୍ମୀ ରାଜ୍ୟରେ ପହଞ୍ଚିଛନ୍ତି। ଅପରପକ୍ଷରେ ଏକ ପ୍ରମୁଖ ଆଦିବାସୀ ସଂଗଠନର ସଦସ୍ୟମାନେ ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖନୀୟ କଥା ହେଉଛି, ମେତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିରେ ବିରୋଧ କରିବା ପାଇଁ ମେ ୩ରେ ପାହାଡିଆ ଜିଲାରେ ‘ଆଦିବାସୀ ଏକଜୁଟ ମାର୍ଚ୍ଚ’ ଆୟୋଜନ ହେବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ସେବେଠାରୁ ରାଜ୍ୟରେ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।

ଶନିବାର ମଣିପୁରର କ୍ୱାକ୍ଟା ଅଞ୍ଚଳରେ ମେତେଇ ସମ୍ପ୍ରଦାୟର ତିନି ଜଣଙ୍କୁ ସେମାନଙ୍କ ଘର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା। କିଛି ଘଣ୍ଟା ପରେ ଚୁରାଚାନ୍ଦପୁର ଜିଲାରେ ଆଦିବାସୀ କୁକି ସମ୍ପ୍ରଦାୟର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁଇଟି ଘଟଣାର ଲିଙ୍କ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏହି ହିଂସା ପରେ ପୁଣି ଆରମ୍ଭ ହୋଇଛି। ଅବସ୍ଥା ବିଗିଡିଯିବାରୁ ରାଜ୍ୟରେ ଅତିରିକ୍ତ ସୁରକ୍ଷା ବାହିନୀର କମ୍ପାନୀଙ୍କୁ ଡକାଯାଇଛି।

ଅଗଷ୍ଟ ୫ରେ ଜାରି କରାଯାଇଥିବା ଆଦେଶରେ ଅଧିକାରୀ କହିଛନ୍ତି ହିଂସାକାଣ୍ଡ ପରେ ୫ କମ୍ପାନୀ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ୩ କମ୍ପାନୀ ସୀମା ସୁରକ୍ଷା ବାହିନୀ ଏବଂ ଏକ କମ୍ପାନୀ ସଶସ୍ତ୍ର ସୀମା ସୁରକ୍ଷା କର୍ମୀ ଏବଂ ଏକ କମ୍ପାନୀ ଭାରତ-ତିବ୍ଦତୀୟ ସୀମା ପୋଲିସ ରାଜ୍ୟରେ ପହଞ୍ଚିଛନ୍ତି।

Share