କଟକ କର୍କଟ ହସ୍ପିଟାଲରୁ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧।୭: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ବୁଧବାର ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ କଟକ ସହରର ବାସିନ୍ଦା ହୋଇଥିବା ବେଳେ ୪ ଜଣ ଅନ୍ୟ ଜିଲାର। ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ପୁରୁଷ ଏବଂ ୩ ମହିଳା ଥିବାବେଳେ ସମସ୍ତେ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡିଛି। ଜଣେ ୩୩ ବର୍ଷୀୟ ମହିଳାଙ୍କ ଘର କାଠଗଡ଼ା ସାହି ହୋଇଥିବା ବେଳେ ୫୨ ବର୍ଷୀୟ ପୁରୁଷଙ୍କ ଘର ଥୁରିଆସାହି, ୨୪ ବର୍ଷୀୟା ଏବଂ ୩୦ ବର୍ଷୀୟ ମହିଳାଙ୍କ ଘର ନୂଆପାଟଣା। ସେହିପରି ୨୩ ବର୍ଷୀୟ ପୁରୁଷଙ୍କ ଘର ମଙ୍ଗଳାବାଗ ଏବଂ ୪୫ ବର୍ଷୀୟ ପୁରୁଷଙ୍କ ଘର ଜଗତପୁରରେ ବୋଲି ସୂଚନା ମିଳିଛି। ଏଥିସହିତ କର୍କଟ ହସ୍ପିଟାଲରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଅପରପକ୍ଷରେ କଟକ ମହାନଦୀ ବିହାର ଅଞ୍ଚଳରୁ ଜଣେ ୪୦ ବର୍ଷୀୟା ମହିଳା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଠାରୁ ପୂର୍ବରୁ ଚିହ୍ନଟ ଜଣେ ଆକ୍ରାନ୍ତଙ୍କର ସେ ସମ୍ପର୍କୀୟ।
କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଛିି। ସେଥିରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୨୨ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ୨ ଜଣଙ୍କ ମୃତ୍ୟୁ ଘଟିଛି।

Share