
ଭୁବନେଶ୍ୱର,୨୭ା୩: ବର୍ଷକ ଭିତରେ ୨୬୩ ପଡ଼ା ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହୋଇଛି। ତେବେ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ବ ଗାଁ କରିବା ନେଇ ଯୋଜନା ରହିଛି ବୋଲି ଗୁରୁବାର ବିଧାସଭାରେ ବିବୃତ୍ତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ କରାଯାଉଛି। ରାଜସ୍ବ ଗାଁରେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ରଣପୁର ବିଧାନସଭା କ୍ଷେତ୍ର ମଧ୍ୟରେ ୩୨୮ଟି ରାଜସ୍ବ ଗାଁ ଏବଂ ୪୩ଟି ପଡ଼ା ଗାଁ(Hamlet) ରହିଛି। ୨୦୧୧ ଜନଗଣନା ଅନୁଯାୟୀ, ପ୍ରତି ଗ୍ରାମର ପୁରୁଷ, ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଜନସଂଖ୍ୟା ଅନୁଯାୟୀ ୧୩ଟି ପଡ଼ା ଗ୍ରାମ ବୋର୍ଡ ଅଫ୍ ରେଭିନ୍ୟୁ କଟକ ଦ୍ୱାରା ଅନୁମୋଦିତ ହୋଇଛି। ଏଥିରୁ ୭ଟି ବିଚାରାଧୀନ ରହିଥିବା ବେଳେ ୩ଟି ରଦ୍ଦ କରାଯାଇଛି।
ସୂଚନା ଥାଉ କି, ଆଜି ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ରାଜସ୍ବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ରଣପୁର ବିଧାନସଭା କ୍ଷେତ୍ର ମଧ୍ୟରେ କେତୋଟି ରାଜସ୍ବ ଗ୍ରାମ ଏବଂ ପଡ଼ା ଗ୍ରାମ ରହିଛି। ଏହାର ଉତ୍ତର ରଖିଥିଲେ ରାଜସ୍ବ ମନ୍ତ୍ରୀ।