ଭିମ୍‌ସାରରେ ପୁଣି ୧୬ କରୋନା ସଂକ୍ରମିତ

ସମ୍ବଲପୁର,୨୫ା୧୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ବୁଧବାର ଆଉ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରେ ଏମ୍‌ବିବିଏସ୍‌ର ୨୩ ଛାତ୍ରୀ ଓ ୨୪ ଛାତ୍ର ଅଛନ୍ତି। ପରିସ୍ଥିତିକୁ ଦେଖି ଜିଲା ପ୍ରଶାସନ ୫ ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରିଛି। ସେଗୁଡିକ ହେଲା ସାବିତ୍ରୀ ଗିରି, ଗାର୍ଗି, ଚରକ, ଭ୍ରୁଗୁ ଓ ପାତଞ୍ଜଳି। ସେହିପରି ଅପଲା ଗାର୍ଲସ ହଷ୍ଟେଲ, ଆଶ୍ରେୟ, ବିଶ୍ୱାମିତ୍ର, ମାର୍କେଣ୍ଡିୟ ହଷ୍ଟେଲକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। ଭିମ୍‌ସାର ଅଧ୍ୟକ୍ଷ ପ୍ରଫେସର ଲାଲମୋହନ ନାଏକ କହିଛନ୍ତି, ସଂକ୍ରମଣ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପାଇଁ ୩ ଶହ ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ଏବେ ମୋଟ ୪୭ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି। ସମସ୍ତ ସଂକ୍ରମିତ ଆଇସୋଲେଶନରେ ରହିଛନ୍ତି। କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ନେଇ ଅଫ୍‌ଲାଇନ ପରୀକ୍ଷା ବାତିଲ କରାଯାଇଛି। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବେଦବ୍ୟାସ ଗେଷ୍ଟ ହାଉସରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେଠାରେ ସ୍ବାସ୍ଥ୍ୟ ବିଭାଗ, ଏସ୍‌ଏମ୍‌ସି କର୍ମଚାରୀ ଓ ପୋଲିସ ନିୟୋଜିତ ରହିଛନ୍ତି। ସମସ୍ତଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ପାଳନ କରିବାକୁ ତାଗିଦ କରାଯାଉଛି।

Share