Categories: ବାଣିଜ୍ୟ

ଟେଲିଗ୍ରାମରେ ଯୋଡ଼ିହେଲେ ଆଉ ୨.୫ କୋଟି ୟୁଜର

ନୂଆଦିଲ୍ଲୀ,୧୪।୧: ହ୍ବାଟ୍ସ ଆପ୍‌ର ନୂଆ ପ୍ରିଭେସି ପଲିସି ଯୋଗୁ ମେସେଜିଂ ଆପ୍‌ ଟେଲିଗ୍ରାମ ଆଡକୁ ୟୁଜର ମୁହାଁଉଥିବା ଦେଖା ଯାଇଛି। ଗତ ୭୨ ଘଣ୍ଟା ମଧ୍ୟରେ ଟେଲିଗ୍ରାମରେ ୨.୫ କୋଟି ନୂଆ ୟୁଜର ଯୋଡି ହୋଇଛନ୍ତି। ଫଳରେ ଏହି ମେସେଜିଂ ଆପ୍‌ ୫୦୦ ନିୟୁତ ମାସିକ ସକ୍ରିୟ ୟୁଜର ସୀମା ଛୁଇଁ ପାରିଛି। ଯୋଡି ହେଉଥିବା ନୂଆ ୟୁଜରଙ୍କ ମଧ୍ୟରୁ ୩୮% ଏସିଆରୁ ହୋଇଥିବା ବେଳେ ୨୭% ୟୁରୋପ, ୨୧% ଲାଟିନ ଆମେରିକା ଏବଂ ୮% ମିଡିଲ ଇଷ୍ଟ ଓ ଉତ୍ତର ଆମେରିକା ଅଞ୍ଚଳରୁ ବୋଲି କମ୍ପାନୀ ପ୍ରକାଶ କରିଛି। ଗତ ବର୍ଷ ତୁଳନାରେ ୟୁଜର ଅଭିବୃଦ୍ଧି ବେଶ ଉନ୍ନତ ବୋଲି ଟେଲିଗ୍ରାମର ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଦୁରୁଭ ସୂଚନା ଦେଇଛନ୍ତି। ସେ କହିଛନ୍ତି୍‌, ଦୈନିକ ୧୫ ଲକ୍ଷ ନୂଆ ୟୁଜର ଟେଲିଗ୍ରାମରେ ଯୋଡି ହେଉଛନ୍ତି। ମାଗଣା ସେବା ଲାଗି ୟୁଜର ସେମାନଙ୍କ ପ୍ରିଭେସି ପ୍ରଭାବିତ ହେଉ ବୋଲି ଚାହୁଁ ନାହାନ୍ତି। ଟେକ୍ନୋଲୋଜି କ୍ଷେତ୍ରରେ ରହିଥିବା ଏକଚାଟିଆ ନୀତିକୁ ୟୁଜର ଜାଣିବା ସହ ଏହାର ବିରୋଧ ଆରମ୍ଭ କରିଛନ୍ତି । ପ୍ରିଭେସି ଏବଂ ନିରାପତ୍ତାକୁ ଟେଲିଗ୍ରାମ ସର୍ବଦା ଗୁରୁତ୍ୱ ଦେଇ ଆସିଛି ବୋଲି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏପଟେ ଫେସ୍‌ବୁକ ସହ ଡାଟା ଶେୟାରିଂ ନେଇ ହ୍ବାଟ୍ସ ଆପ୍‌ ୟୁଜର ଆଶଙ୍କାରେ ରହିଛନ୍ତି। ଏହାକୁ ନେଇ ହ୍ବାଟ୍ସ ଆପ୍‌ ମଙ୍ଗଳବାର ଦ୍ୱିତୀୟ ସ୍ପଷ୍ଟୀକରଣ ପ୍ରଦାନ କରିଛି। କମ୍ପାନୀ କହିଛି ଯେ, ପଲିସି ଅପଡେଟ୍‌ ହେଲେ ମଧ୍ୟ ୟୁରଙ୍କ ମେସେଜର ପ୍ରିଭେସି ପ୍ରଭାବିତ ହେବ ନାହିଁ।

Share