ଆଉ ୨ଦିନ ଅସମ୍ଭାଳ ତାତି

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ଧରି ଗ୍ରୀଷ୍ମପ୍ରବାହ ଜାରି ରହିଛି। ଖରା ସାଙ୍ଗକୁ ହିଟ୍‌ଓ୍ବେଭ୍‌ (ଗୁଳୁଗୁଳି) ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ରବିବାର ମଧ୍ୟ ସମାନ ସ୍ଥିତି ଲାଗି ରହିଥିଲା। ୪୪ ଡିଗ୍ରୀ ଉପରେ ୪ ସହର ରହିଥିଲାବେଳେ ସର୍ବାଧିକ ୪୪.୫ ଡିଗ୍ରୀ ସହ ବଲାଙ୍ଗୀର ଓ ବରଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଆସନ୍ତା ୨ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ସ୍ବାଭାବିକ ତାପମାତ୍ରାଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସହ ଗୁଳୁଗୁଳି ଅସହ୍ୟ ହେବ। ରାଜ୍ୟବାସୀଙ୍କୁ ଆହୁରି କଲବଲ ହେବାକୁ ପଡିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେବା ସହ ହିଟ୍‌ଓ୍ବେଭ୍‌ ନେଇ କେତେକ ଜିଲାକୁ ସତର୍କ କରିଛି।
ସୋମବାର ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳ ଓ କେନ୍ଦୁଝର ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ରହିଥିବାବେଳେ ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ା ଓ ମୟୂରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ମଙ୍ଗଳବାର ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି। ସେହିପରି ୧୪ ଓ ୧୫ ତାରିଖ ପାଇଁ ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି। ଖରାବେଳେ ଶିଶୁ, ବୟସ୍କ ଓ ରୋଗୀଙ୍କ କ୍ଷେତ୍ରରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅତି ଜରୁରୀ କାମ ନ ଥିଲେ ଖରାରେ ବାହାରକୁ ଯିବାକୁ ବାରଣ କରାଯାଇଛି। କୃଷକମାନେ ମକା, ଡାଲି ଜାତୀୟ ଓ ପନିପରିବା ଫସଲରେ ଜଳସେଚନ ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶନିବାର ସବୁଠୁ ଉତ୍ତପ୍ତ ସହର ଥିବା ଝାରସୁଗୁଡ଼ା ରବିବାର ୪୪.୪ ଡିଗ୍ରୀ ସହ ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବାବେଳେ ଏହା ତଳକୁ ସୋନପୁର ୪୪.୩ ଡିଗ୍ରୀ, ସମ୍ବଲପୁର ୪୩.୬ ଡିଗ୍ରୀ, ବୌଦ୍ଧ ୪୩.୫ ଡିଗ୍ରୀ ଓ ହୀରାକୁଦରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼, ଭବାନୀପାଟଣା ଓ ଟିଟିଲାଗଡ଼ରେ ତାପମାତ୍ରା ୪୩.୦ ଡିଗ୍ରୀ ରହିଥିଲା। ତେବେ ଭୁବନେଶ୍ୱରର ତାପମାତ୍ରା ୪୨.୬ ଡିଗ୍ରୀ ଓ କଟକରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

Share