ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଏଠାରୁ ପୁଣି ୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୬ ଏବଂ ଲୋକାଲ କେସ୍ ୫ ବୋଲି ଜଣାପଡିଛି। କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୨୮ ବର୍ଷୀୟା ମହିଳା, ଶରଧାପଲ୍ଲୀରୁ ୩୩ ବର୍ଷୀୟ ପୁରୁଷ, ବଡଗଡରୁ ୩୮ ବର୍ଷୀୟ ପୁରୁଷ, ରସୁଲଗଡରୁ ୨୬ ଏବଂ ୪୫ ବର୍ଷୀୟ ପୁରୁଷ, କୋଲାଠିଆରୁ ୩୨ ବର୍ଷୀୟ ମହିଳା, କଳିଙ୍ଗ ନଗରରୁ ୨୪ ବର୍ଷୀୟ ମହିଳା ଏବଂ ଜଣେ ବର୍ଷକର ଶିଶୁ, ୟୁନିଟ୍-୪ରୁ ୩୧ବର୍ଷର ପୁରୁଷ, ଆଇଆରସି ଭିଲେଜରୁ ୫୧ ବର୍ଷୀୟ ପୁରୁଷ, ବେସରକାରୀ ଡାକ୍ତରଖାନାରେ କାମ କରୁଥିବା ଜଣେ ୨୬ ବର୍ଷୀୟା ପୁରୁଷ, ଫରେଷ୍ଟ ପାର୍କରୁ ୩୮ ଏବଂ ୧୩ ବର୍ଷୀୟ ମହିଳା ଏବଂ ବେସରକାରୀ ଡାକ୍ତରଖାନାରେ କାମ କରୁଥିବା ୫୫, ୨୯ ଓ ୨୩ ବର୍ଷୀୟ ପୁରୁଷ ସାମିଲ ଅଛନ୍ତି। ସେହିପରି ୪୯ ଜଣ ସୁସ୍ଥ ହୋଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୧୨୫୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୨୫ ଜଣ ସୁସ୍ଥ ହୋଇଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୬୧୪ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।