ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଭୁବନେଶ୍ୱର, ୭।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ମୃତକ ୪ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲାର ହୋଇଥିବା ବେଳେ ଅନ୍ୟ ୩ ଗଞ୍ଜାମରୁ। କଟକ ଜିଲାର ମୃତକ ଜଣଙ୍କ ୪୮ ବର୍ଷୀୟ ବ୍ୟକ୍ତି। ସେ କ୍ୟାନସରରେ ପୀଡିତ ଥିଲେ। ଏହାକୁ ମିଶାଇ କଟକରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି।
ସେହିପରି ଗଞ୍ଜାମର ୩ ମୃତକ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୦ ଓ ୫୩ ବର୍ଷ। ତେବେ ୭୦ ବର୍ଷୀୟ ବୃଦ୍ଧ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମ ଜିଲାରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

Share