ଆଉ ୪ଦିନ ଗୁଳୁଗୁଳି

ଭୁବନେଶ୍ୱର,୧୦।୬(ଅସମାପିକା ସାହୁ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିସାରିଛି। ହେଲେ ରାଜ୍ୟରେ ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି। ରବିବାର ନୂଆପଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀରରେ ୪୧.୫, ବୌଦ୍ଧ ୪୧.୭, ମାଲକାନଗିରି ୪୧.୩ ଓ ଟିଟିଲାଗଡ଼ରେ ୪୧ ଡିଗ୍ରୀ ରହିଥିଲା। ଆସନ୍ତା ୪ଦିନ ଯାଏ ଉଷ୍ମ ଓ ଆର୍ଦ୍ର ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାକୁ ଉଷ୍ମ ଓ ଆର୍ଦ୍ର ପାଗ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ଉଷ୍ମ ଓ ଆର୍ଦ୍ର ପାଗ ନେଇ ସତର୍କ କରାଯାଇଛି। ମଙ୍ଗଳବାର ଓ ବୁଧବାର ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ନୂଆପଡ଼ାକୁ ହିଟ୍‌ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ କାଳବୈଶାଖୀ ବର୍ଷା ନେଇ ମଧ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

Share