ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ…

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜୀବନ ହାରିଛନ୍ତି ଆଉ ଜଣେ ଓଡ଼ିଆ ଅଭିନେତ୍ରୀ। ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଧାରାବାହିକ ‘କେମିତି କହିବି କହ’ରେ ସେ ଅଭିନୟ କରିଥିଲେ। ରଶ୍ମିରେଖା ନୟାପଲ୍ଲୀ ଥାନା ଅନ୍ତର୍ଗତ ବଡ଼ ସାହିରେ ଭଡ଼ାରେ ରହୁଥିବା ବେଳେ ତାଙ୍କ ଘର ଜଗତସିଂହପୁର ଜିଲା ତିର୍ତ୍ତୋଲର ସଙ୍କେତପାଟଣାରେ।

ସୋମବାର ଭଡ଼ାଘର ଭିତରୁ ତାଙ୍କ ମୃତଦେହ ଜବତ ହୋଇଛି। ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରିଛି। ଏଥିରେ ଲେଖା ଅଛି, ମୋ’ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି।  ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ରଶ୍ମିରେଖା ଦେଢ଼ମାସ ହେବ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ଗଡ଼ ସାହିସ୍ଥିତ ଭଡ଼ା ଘରେ ରହୁଥିଲେ ମଧ୍ୟ କିଛି ଦିନ ହେବ ପୁରୁଷ ବନ୍ଧୁ ଜଣଙ୍କ ବାହାରେ ରହୁଥିବା ଜଣାଯାଇଛି। ପୋଲିସ ସବୁ ଦିଗକୁ ଅନୁଧ୍ୟାନ କରିବା ସହ ବାହାରେ ଥିବା ରଶ୍ମିରେଖାଙ୍କ ପୁରୁଷ ବନ୍ଧୁକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ରଶ୍ମିରେଖାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏହା ଆତ୍ମହତ୍ୟା ନା ଆଉ କିଛି ପୋଲିସ ତଦନ୍ତ ପରେ ଜଣାପଡ଼ିବ।

 

Share