ଆଉ ଜଣେ ବାବା ଆଖିବୁଜିଲେ

ପୁରୀ,୩୧।୭(ଅଜିତ ମହାନ୍ତି):ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ସ୍ଥିତ ଗୁରୁକୃପା ଆଶ୍ରମରେ ସାଧୁ ଅର୍ଜୁନ ବାବାଙ୍କୁ ହତ୍ୟା ଘଟଣାରେ ଗୁରୁତର ଆହତ ହୋଇଥିବା ଦୟାନିଧି ବାବା ଓରଫ ଦୟାନିଧି ଦାସଙ୍କର ରବିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏ ନେଇ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାହୁ କହିଛନ୍ତି, ଗୁରୁକୃପା ଆଶ୍ରମରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ଘଟଣାସ୍ଥଳରେ ଅଜୁର୍ନ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଦୟାନଧି ଦାସ ଗୁରୁତର ହୋଇଥିଲେ। ଦୟାନିଧି ବାବାଙ୍କ ମୁଣ୍ଡରେ ଅଭିଯୁକ୍ତ ଇଟା ଛେଚି ଦେଇଥିଲେ। ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ପରେ ଭୁବନେଶ୍ୱର ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦୟାନିଧି ବାବାଙ୍କର ମୃତ୍ୟୁ ଘଟିଛି। ଏ ନେଇ କଟକ ମଙ୍ଗଳାବାଗ ଥାନା ପୋଲିସ ଏକ ମାମଲା ରୁଜୁ କରିଛି।
ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାଠଫାଳିଆ, ଇଟାକୁ ଜବତ କରିଛି। ତେବେ ତନ୍ତ୍ରବିଦ୍ୟାକୁ ନେଇ ଆକ୍ରମଣ କରାଯାଇଥିବା କଥାକୁ ଏଡ଼ାଇ ଦେଇ କୌଣସି କଥାରୁ ହଠାତ୍‌ ଯୁକ୍ତିତର୍କ ହୋଇ ଏପରି ହତ୍ୟା ହୋଇଥିବା ସାହୁ କହିଥିଲେ। ହତ୍ୟାକାଣ୍ଡ ସମ୍ପର୍କରେ ଆଶ୍ରମର ପରିଚାଳକଙ୍କୁ ପଚରାଉଚରା କରାଯାଇଛି। ଦୁଇଜଣଙ୍କ ମୃତ୍ୟୁ ହୋଇଥିବାରୁ ପୋଲିସ ପକ୍ଷରୁ ସମସ୍ତ ଦିଗକୁ ଧ୍ୟାନ ଦିଆଯାଇ ବ୍ୟାପକ ତଦନ୍ତ କରାଯାଉଛି। ତନ୍ତ୍ର ବିଦ୍ୟା ବା ନିଶା କାରଣରୁ ହତ୍ୟା କରାଯାଇଛି ବୋଲି ଯେଉଁ ଅଭିଯୋଗ ହେଉଛି, ସେନେଇ କୌଣସି ତଥ୍ୟ ମିଳିନାହିଁ। ଦରକାର ପଡ଼ିଲେ ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ରିମାଣ୍ଡରେ ଅଣାଯିବ। ଅପରପକ୍ଷେ ପୋଲିସ ପକ୍ଷରୁ ପୁରୀର ସମସ୍ତ ଆଶ୍ରମରେ ଭେରିଫିକେଶନ୍‌ ଚାଲିଛି ବୋଲି ସିଟିଡିଏସ୍‌ପି ସାହୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୮ତାରିଖରେ ଅଭିଯୁକ୍ତ ବିଷ୍ଣୁବାବା ଆଶ୍ରମ ପରିସରରେ ଅର୍ଜୁନ ବାବାଙ୍କୁ କୌଣସି କାରଣକୁ ନେଇ କାଠଫାଳିଆରେ ପିଟି ହତ୍ୟା କରିଥିଲା। ସେହିପରି ଦୟାନିଧି ବାବାଙ୍କୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିଥିଲେ।