ମୁମ୍ବାଇ,୨୨।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ଲାଗି ଚାଲିଛି ଝଟ୍କା ପରେ ଝଟ୍କା। ଯୁବ ଓପନର ଶୁବମାନ ଗିଲଙ୍କ ପରେ ପେସର ଅଭେଶ ଖାଁ। ଆଉ ଏବେ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଆହତ ସମସ୍ୟା ଯୋଗୁ ପୂରା ସିରିଜ୍ରୁ ବାଦ୍ ପଡ଼ିଛନ୍ତି।
ଉଭୟ ଅଭେଶ ଓ ଓ୍ବାଶିଂଟନ ଆଙ୍ଗୁଠି ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ଦୁହେଁ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ ପାଇଁ ଉପଲବ୍ଧ ରହିବେ ନାହିଁ। ତେବେ ଅଲରାଉଣ୍ଡରଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ପକ୍ଷରୁ ବିଶେଷ ତଥ୍ୟ ଦିଆଯାଇ ନାହିଁ। ଗିଲ ଦୁଇ ସପ୍ତାହ ପୂର୍ବରୁ ଗୋଡ଼ ଜନିତ ସମସ୍ୟା କାରଣରୁ ସିରିଜ୍ରୁ ବାଦ୍ ପଡ଼ିଥିଲେ। ଏବେ ସେ ଭାରତ ଫେରି ଆସିଛନ୍ତି। ଏହାଛଡ଼ା କୋଭିଡ୍-୧୯ରେ ସଂକ୍ରମିତ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ କ୍ୱାରେଣ୍ଟିନରେ ଅଛନ୍ତି। ମେଡିକାଲ ଟିମ୍ର ତତ୍ତ୍ୱାବଧାନରେ ରଖାଯିବା ସତ୍ତ୍ୱେ ପ୍ରଥମ ଟେଷ୍ଟ ଲାଗି ସେ ନେଇ ଅନିଶ୍ଚିତତା ଜାରି ରହିଛି।