Categories: ଖେଳ

ବିଶ୍ୱକପ୍‌ ପରେ ଭାରତର ହାତ ଛାଡିବେ ଆଉ ଜଣେ କୋଚ୍‌

ନୂଆଦିଲ୍ଲୀ,୭।୧୦: ୨୦୨୧ ଟି -୨୦ ବିଶ୍ୱକପ ପରେ ଭାରତୀୟ ଦଳ ଏକ ନୂତନ କୋଚ ପାଇବ ବୋଲି ଆଶା କରାଯାଉଛି। ବିଶ୍ୱକପ ପରେ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ବିସିସିଆଇ ଏକ ନୂଆ କୋଚ ଖୋଜୁଛି। ଏହି ସମୟରେ ଦଳ ସହ ଜଡିତ ଅନ୍ୟ ଜଣେ ବ୍ୟକ୍ତି ବିଦାୟ ନେବାକୁ ଘୋଷଣା କରିଛନ୍ତି। ଟିମ ଇଣ୍ଡିଆର ଷ୍ଟ୍ରେନ୍ଥ୍‌ ଏବଂ କଣ୍ଡିସନିଂ କୋଚ ନିକ ୱେବ ବିଶ୍ୱକପ ପରେ ଦଳ ଛାଡିବେ। ସେ ଏ ସମ୍ପର୍କରେ ବୋର୍ଡକୁ ସୂଚନା ଦେଇଛନ୍ତି।
ନିକ ୱେବ କହିଛନ୍ତି ଯେ, ନ୍ୟୁଜିଲାଣ୍ଡରେ କରୋନା କାରଣରୁ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁ ସେ ଟି -୨୦ ବିଶ୍ୱକପ ପରେ ଚୁକ୍ତି ବଢାଇ ପାରିବେ ନାହିଁ । ୨୦୧୯ ବିଶ୍ୱକପ ପରେ ସେ ଟିମ ଇଣ୍ଡିଆ ସହିତ ଜଡିତ ଥିଲେ। ସେ ଶଙ୍କର ବସୁଙ୍କ ସ୍ଥାନ ନେଇଥିଲେ। ଏହାପୂର୍ବରୁ ସେ ନ୍ୟୁଜିଲାଣ୍ଡ ମହିଳା ଦଳ ଏବଂ ଘରୋଇ ଦଳ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ସହିତ କାମ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶପ୍‌ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଏହା ବ୍ୟତୀତ ଦଳ ଅଷ୍ଟ୍ରେଲିଆରେ ମଧ୍ୟ ଜିତିଛି।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପରେ ଟିମ ଇଣ୍ଡିଆ ସହିତ ରହୁଥିବା ନିକ ୱେବ ଆହୁରି ମଧ୍ୟ କହିଛନ୍ତି ଯେ ପରିବାରଠାରୁ ୮ ମାସ ଦୂରରେ ରହିବା ଠିକ ନୁହେଁ। ଗତ ଦୁଇ ବର୍ଷ ମଧ୍ୟରେ ମୁଁ ଭାରତ, ବିସିସିଆଇ ଏବଂ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ପାଇଛି। ଏହି ସମୟ ମଧ୍ୟରେ ଆମେ ଏକ ଦଳ ଭାବରେ ବହୁତ କିଛି ହାସଲ କରିଥିଲୁ। ଆମେ ମଧ୍ୟ ମ୍ୟାଚ ହାରିଛୁ ଏବଂ ଜିତିଛୁ। କିନ୍ତୁ ଚ୍ୟାଲେଞ୍ଜକୁ କ୍ରମାଗତ ଭାବରେ ଗ୍ରହଣ କରିବା ଏବଂ ଭଲ ପ୍ରଦର୍ଶନ କରିବା ସ୍ବତନ୍ତ୍ର ଥିଲା। ତେବେ ଏହି ନିଷ୍ପତ୍ତି ସହଜ ନୁହେଁ ବୋଲି ସେ କହିଛନ୍ତି। କିନ୍ତୁ ପରିବାର ପ୍ରଥମେ ରଖିବା ଉଚିତ୍‌। ଦେଶରେ କରୋନା ନିଷେଧ ହେତୁ ମୋତେ ଏହି ନିଷ୍ପତ୍ତି ନେବାକୁ ପଡିଛି। ଭବିଷ୍ୟତ କ’ଣ ହେବ ମୁଁ ଜାଣେ ନାହିଁ ବୋଲି ନିକ ୱେବ କହିଛନ୍ତି।

Share