ଆଖିବୁଜିଲେ ପୁଣି ଜଣେ କରୋନା ଯୋଦ୍ଧା

ଝାରସୁଗୁଡା ଅଫିସ, ୧୧।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଆକ୍ରାନ୍ତମାନେ ମଧ୍ୟ ପ୍ରତିଦିନ ପ୍ରାଣ ହରାଉଛନ୍ତି । ଫଳରେ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଜିଲାରେ ଜଣେ ଆଗଧାଡିର କରୋନା ଯୋଦ୍ଧା ପୋଲିସ ସବ ଇନସ୍ପେକ୍ଟର ସନ୍ତୋଷ କୁମାର ଦେହୁରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୨ ଦିନ ହେବ ସେ ଅସୁସ୍ଥ ହୋଇ ଝାରସୁଗୁଡାର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୋଭିଡ ପରୀକ୍ଷା ପରେ ତାଙ୍କର ପଜିଟିଭ ଚିହ୍ନଟ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଧିକାରୀ ଦେହୁରୀଙ୍କ ଅକାଳ ବିୟୋଗରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସୂଚନା ଥାଉ କି ଗତବର୍ଷ କରୋନା ସଂକ୍ରମଣ ପ୍ରଥମ ଲହରରେ ବଡମାଲ ଥାନାର କରୋନା ଯୋଦ୍ଧା ସବ ଇନ ସ୍ପେକ୍ଟର ରାଜ କିଶୋର ସାମଦଙ୍କ ମୃତ୍ୟୁ ହୋଇଥିଲା।