ପୁଣି ବିପଦ: ମିଳିଲା କରୋନାର ନୂଆ ଭୂତାଣୁ ଖୋସ୍ତା-୨, ଟିକା ବି କାମଦେବନି…

ଓ୍ବାଶିଂଟନ, ୨୫।୯ : କରୋନା ମହାମାରୀର ସଂକ୍ରମଣ ବର୍ତ୍ତମାନ ପୃଥିବୀର ଅଧିକାଂଶ ସ୍ଥାନରେ ମନ୍ଥର ହୋଇଯାଇଛି। ତେବେ ଏପରିସ୍ଥଳେ, ଆସୁଥିବା ଖବର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏହା ଯୋଗୁ ପୁଣି ବିପଦ ମାଡ଼ିଆସୁଛି ନେଇ ଆତଙ୍କ ସୃଷ୍ଟି ହୋଇଚି। ଗବେଷକମାନେ ବାଦୁଡ଼ିଠାରେ ଏକ ନୂଆ କରୋନା ଭୂତାଣୁ ଆବିଷ୍କାର କରିଛନ୍ତି ଯାହା ମଣିଷ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହି ଭୂତାଣୁ ମଣିଷ କୋଷକୁ ସଂକ୍ରମିତ କରିପାରେ ଏବଂ କରୋନା ଟିକାର ସୁରକ୍ଷା କବଚକୁ ଭେଦ କରିବାକୁ ସକ୍ଷମ।

ପ୍ଲୋସ୍‌ ପ୍ୟାଥୋଜେନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୱାଶିଂଟନ ଷ୍ଟେଟ ୟୁନିଭରସିଟିର ପଲ ଆଲେନ ସ୍କୁଲ ଅଫ ପବ୍ଲିକ ହେଲ୍ଥର ସହକାରୀ ପ୍ରଫେସର ମାଇକେଲ ଲେଟକୋଙ୍କ ନେତୃତ୍ୱରେ ଗବେଷକମାନେ ସାର୍ସ-କୋଭ୍‌-୨ ସହିତ ସମାନ ଏକ କରୋନାଭାଇରସ ଗ୍ରୁପ୍‌ ପାଇଛନ୍ତି।

ଏହା ପ୍ରଥମେ ୨୦୨୦ରେ ରୁଷିଆର ବାଦୁଡ଼ିଙ୍କଠାରୁ ମିଳିଥିଲା। ସେତେବେଳେ ଗବେଷକମାନେ ଭାବି ନଥିଲେ ଯେ ଖୋସ୍ତା-୨ ନାମକ ଏହି ଭୂତାଣୁ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ଯେତେବେଳେ ଲେଟକୋଙ୍କ ଦଳ ଲ୍ୟାବରେ ଅଧିକ ପରୀକ୍ଷା ନିରୀକ୍ଷା କରିଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ଏହି ଭୂତାଣୁ ମଣିଷ କୋଷକୁ ମଧ୍ୟ ସଂକ୍ରମିତ କରିପାରେ।

ଏହି ଭୂତାଣୁ ମଣିଷ ପାଇଁ ଏକ ସମ୍ଭାବ୍ୟ ବିପଦ ହୋଇପାରେ। ରୁଷିଆର ବାଦୁଡ଼ିରେ ମିଳିଥିବା ଖୋସ୍ତା -୧ ଭୂତାଣୁ ସହଜରେ ମଣିଷର କୋଷକୁ ପ୍ରବେଶ କରିପାରି ନଥାଏ। କିନ୍ତୁ ଖୋସ୍ତା -୨ ଏହା କରିବାକୁ ସକ୍ଷମ। ଖୋସ୍ତା -୨ ଓସି ପ୍ରୋଟିନ, ଏସିଇ-୨ ସହିତ ସଂଯୁକ୍ତ ହୋଇଥାଏ। ଯାହା ସାର୍ସ-କୋଭ୍‌-୨ ମଣିଷ କୋଷରେ ପ୍ରବେଶ କରିବା ପାଇଁ ବ୍ୟବହାର କରିଥାଏ।

ଯେତେବେଳେ ଲେଟକୋ ଖୋସ୍ତା -୨ କୁ କରୋନା ଟିକା ଗ୍ରହଣ କରିଥିବା ଲୋକଙ୍କ ସେରମ ସହିତ ମିଶ୍ରଣ କଲେ, ଟିକା ଆଣ୍ଟିବଡିଗୁଡିକ ଭୂତାଣୁକୁ ପ୍ରଭାବିତ କରିପାରି ନଥିଲା। ସେ କହିଛନ୍ତି ଯେ ଏହା ସମ୍ମୁଖରେ ଟିକା ବି କାମ ଦେବନି। ତେବେ ଏନେଇ ଆମେ କାହାକୁ ଭୟଭୀତ କରିବାକୁ ଚାହୁଁ ନାହୁଁ। କିନ୍ତୁ ଏହା ଚିନ୍ତାଜନକ ଯେ ଆମ ପ୍ରକୃତିରେ ଏପରି ଭୂତାଣୁ ବୁଲୁଛନ୍ତି।

Share