ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସେହିପରି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ମୃତକ ବୟସ ୫୩ ବର୍ଷ ଏବଂ ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ସୂଚନା ଦିଆଯାଇଛି। ଏହାକୁ ମିଶାଇ ସରକାରୀ ସୂଚନା ମୁତାବକ ଜିଲାରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି ।
ସେହିପରି ଜିଲାରେ ପୁଣି ୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫ଜଣ ମହିଳା ଓ ୪୧ଜଣ ପୁରୁଷ ଅଛନ୍ତି। ନୂଆ ଆକ୍ରାନ୍ତ ମଧ୍ୟରେ ୩ଜଣ ଶିଶୁ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪ରେ ପହଞ୍ଚିଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣକର ମୃତ୍ୟୁ ହୋଇଛି ଏବଂ ୭୭୬୭ ଜଣ ସୁସ୍ଥ ହୋଇଛନ୍ତି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି।