ନୂଆଦିଲ୍ଲୀ, ୨।୪ (ଆଇଏଏନ୍ଏସ୍): ସବୁ ମୋଦି ଚୋର ମନ୍ତବ୍ୟ ପାଇଁ କଂଗ୍ରେସ ନେତା ଦୋଷୀସାବ୍ୟସ୍ତ ହେବା ସହ ୨ ବର୍ଷ ଜେଲଦଣ୍ଡାଦେଶ ପାଇଛନ୍ତି। ଏଥିସହିତ ତାଙ୍କର ଲୋକ ସଭା ସଭ୍ୟପଦ ରଦ୍ଦ ହୋଇଛି। ଏବେ ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ ହୋଇଛି। ଜାନୁୟାରୀରେ ଭାରତ ଯୋଡ଼ୋ ଯାତ୍ରା ଅବସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ ସମାଲୋଚନା କରିବା ସହ ଏହାକୁ କୌରବ ସହ ତୁଳନା କରିଥିଲେ। ଆର୍ଏସ୍ଏସ୍ କାର୍ଯ୍ୟକର୍ତ୍ତା କମଳ ଭଦୌରିଆଙ୍କ ଅଭିଯୋଗକ୍ରମେ ଆଇନଜୀବୀ ଅରୁଣ ଭଦୌରିଆ ଉତ୍ତରାଖଣ୍ଡର ହରିଦ୍ୱାର କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ଜାନୁୟାରୀ ୯ରେ ହରିୟାଣାର ଅମ୍ବାଲାରେ ଭାରତ ଯୋଡ଼ୋ ଯାତ୍ରା ରାସ୍ତାପାର୍ଶ୍ୱ ସଭାକୁ ସମ୍ବୋଧନ କରି ରାହୁଲ ଆର୍ଏସ୍ଏସ୍ ସଦସ୍ୟମାନଙ୍କୁ ଏକବିଂଶ ଶତାବ୍ଦୀର କୌରବ ବୋଲି କହିଥିଲେ। ଖାକି ହାଫ୍ପ୍ୟାଣ୍ଟ ପିନ୍ଧୁଥିବା ଓ ହାତରେ ଲାଠି ଧରୁଥିବା ଏହି କୌରବମାନଙ୍କ ପଛରେ ଭାରତର ୨-୩ ଜଣ ବିଲିଅନେୟାରଙ୍କ ସମର୍ଥନ ରହିଥିବା ରାହୁଲ କହିଥିଲେ। ଏପ୍ରିଲ ୧୨ରେ ଉକ୍ତ ମାମଲାର ଶୁଣାଣି ହେବ।