ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ ଏକ ଜଙ୍ଗଲରୁ ରବିବାର ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀଟିର ବୟସ ପ୍ରାୟ ୮ ବର୍ଷ ହୋଇଥିବା ବେଳେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ।

ପ୍ରକାଶ ଯେ, ଆଜି ସକାଳୁ ତେଲକୋଇ ରେଞ୍ଜଠାରୁ ପ୍ରାୟ ୧୩ କିମି ଦୂର ବିମଳା ଫରେଷ୍ଟ ବିଟ୍‌ ଆକୁଳ ଗ୍ରାମ ନିଳାପଶି ମୁଣ୍ଡାସାହି ନିକଟ ଧାନଜମିରେ ଏକ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଯୁଗ୍ମ ଟାସ୍କ ଫୋର୍ସ ଘଟଣାର ତଦନ୍ତ ଆରମ୍ଭ କରିଛି। ହାତୀ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସକର ଏକ ଟିମ୍‌ ପହଞ୍ଚିଛି। ବିଦ୍ୟୁତ୍‌ ଆଘାତ ନା ଅନ୍ୟ କାରଣ ସବିଶେଷ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ବନ ବିଭାଗ। ଏନେଇ ତେଲକୋଇ ରେଞ୍ଜ ଅଧିକାରୀ ଶିବାଜୀ ମୋହନ ରାଓ କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ। ତେବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପଚରାଉଚରା କରିବା ସହ ପାରିପାଶର୍‌ବିକ ଅବସ୍ଥାର ଯାଞ୍ଚ କରାଯାଉଛି। ଉକ୍ତ ଅଞ୍ଚଳରେ ଦୁଇଟି ଦଳରେ ୨୫ ହାତୀ ବୁଲି ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ଜଣାପଡ଼ିଛି। ନିଜ ଧନଜୀବନ ତଥା ଫସଲର ସୁରକ୍ଷା ପାଇଁ ହାତୀମାନଙ୍କୁ ଲୋକମାନେ ଅନିଦ୍ରା ହୋଇ ଘଉଡ଼ାଉଥିବା ବେଳେ ବନ ବିଭାଗର କର୍ମଚାରୀମାନେ ସେମାନଙ୍କ ଗତିବିଧି ନିରୀକ୍ଷଣ କରି ଲୋକଙ୍କୁ ସଚେତନ କରୁଛନ୍ତି। ଲୋକଙ୍କୁ କ୍ଷତିପୂରଣ ମିଳୁଥିଲେ ହେଁ ମଣିଷ ଓ ହାତୀମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବାରୁ ହାତୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି।

Share