ଭୁବନେଶ୍ୱର କୋର୍ଟରୁ ଧରାପଡ଼ିଲେ ଆଉଜଣେ ନକଲି ଜାମିନଦାର

ଭୁବନେଶ୍ୱର,୨୨।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ବୁଲୁଛନ୍ତି ନକଲି ଜାମିନଦାର। ଅଭିଯୁକ୍ତଙ୍କ ଜାମିନଦାର ସାଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କପିଳେଶ୍ୱର ଅଞ୍ଚଳର ବାଉରୀବନ୍ଧୁ ପତି ନାମକ ଜଣେ ନକଲି ଜାମିନଦାରଙ୍କୁ କମିଶନରେଟ ପୋଲିସ ଗିରଫ କରି ଗୁରୁବାର ଜେଲ ପଠାଇଥିଲା। ତେବେ କୋର୍ଟରେ ବାଉରିବନ୍ଧୁଙ୍କ ଭଳି ଏକାଧିକ ନକଲି ଜାମିନଦାର ରହିଥିବା ଜଣାପଡ଼ିବା ପରେ ଏହାର ତଦନ୍ତକୁ ପୋଲିସ ବ୍ୟାପକ କରିଛି। ବଡ଼ଗଡ଼ ଥାନା ପୋଲିସ ଟିମ୍‌ ଛଦ୍ମବେଶରେ କୋର୍ଟ ପରିସରରେ ଆଉ ଜଣେ ନକଲି ଜାମିନଦାରଙ୍କୁ ଗିରଫ କରିଛି। ସେ ହେଲେ କପିଳେଶ୍ୱର ଅଞ୍ଚଳରେ ରହୁଥିବା ବାମନ ଚରଣ ସାମନ୍ତରାୟ ଓରଫ ବାମନ ଚରଣ ଦ୍ୱିବେଦୀ। ବାମନ ଚରଣଙ୍କ ଦୁଇଟି ସାଙ୍ଗିଆ ଥିବା ପରିଚୟ ମିଳିବା ପରେ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି। ଏପରିକି ତାଙ୍କ ପାଖରୁ ୩ଟି ଆଧାର କାର୍ଡ ମଧ୍ୟ ଜବତ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ନିଜଆଡୁ ଏକ ମାମଲା (ନଂ.୩୯୫/୨୦୨୩) ରୁଜୁ କରି ଶୁକ୍ରବାର ବାମନ ଚରଣଙ୍କୁ କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ପୋଲିସ ଟିମ୍‌ କୋର୍ଟ ପରିସରକୁ ଛଦ୍ମବେଶରେ ଯାଇଥିଲା। ସେଠାରେ ପୋଲିସ କର୍ମଚାରୀମାନେ ବୁଲି ଯାଞ୍ଚ କରିବା ସହ ସାମନ୍ତରାୟ ସାଙ୍ଗିଆରେ ଜାମିନଦାର ଦରକାର ବୋଲି ସେମାନେ କହିଥିଲେ। ଏହାପରେ ବାମନ ଚରଣ ନିଜେ ସାମନ୍ତରାୟ ସାଙ୍ଗିଆର ବୋଲି କହିବା ସହ ବେଲ୍‌ କରାଇଦେବେ ବୋଲି କହିଥିଲେ। ସେହି ସମୟରେ ପୋଲିସ ଟିମ୍‌ ତାଙ୍କୁ କାବୁ କରିଥିଲା। ତେବେ ଏଭଳି ଏକାଧିକ ନକଲି ଜାମିଦାର କୋର୍ଟରେ ବୁଲୁଥିବା ଚର୍ଚ୍ଚା ହେଉଛି। ଏହି ଯାଞ୍ଚପ୍ରକ୍ରିୟାକୁ ଆଗକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ନକଲି ଜାମିନଦାର ଓଡ଼ିଶାର ବିଭିନ୍ନ କୋର୍ଟରେ ଥିବା ଜଣେ ଆଇନଜୀବି କହିଛନ୍ତି। ତେଣୁ ପୋଲିସ ପକ୍ଷରୁ ବିଭିନ୍ନ କୋର୍ଟରେ ଯାଞ୍ଚ କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

Share