Categories: ଜାତୀୟ

ଉପହାର ସିନେମା ହଲ୍‌ରେ ପୁଣି ଅଗ୍ନିକାଣ୍ଡ, ମନେପଡ଼ିଲା ୧୯୯୭ର ଛାତିଥରା ଦୃଶ୍ୟ…

ନୂଆଦିଲ୍ଲୀ, ୧୭।୪ : ପୁଣିଥରେ ଦିଲ୍ଲୀର ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟିଛି। ରବିବାର ସକାଳେ ଅଗ୍ନିଶମ ବିଭାଗ ଗ୍ରୀନ ପାର୍କ ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ କୋଠାରେ ନିଆଁ ଲାଗିଥିବା ଖବର ପାଇ ସେଠାରେ ପହଞ୍ଚିବା ପରେ ଉପହାର ସିନେମା ହଲରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲା।

ଭୋର୍‌ ପ୍ରାୟ ୪ଟା ୪୬ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିଲା। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ସକାଳ ୭ଟା ୨୦ରେ ନିଆଁ ସମ୍ପୂର୍ଣ୍ଣ ଲିଭା ଯାଇଥିଲା। ସିନେମା ହଲ୍‌ର ବାଲକୋନୀ ଏବଂ ଥିଏଟରର ପ୍ରଥମ ମହଲାରେ ଘଟିଥିବା ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ଖବର ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ସିନେମା ହଲର ସିଟ, ଆସବାବପତ୍ର ଏବଂ ଅଦରକାରୀ ସାମଗ୍ରୀରେ ନିଆଁ ଲାଗିଯାଇଥିବା କୁହାଯାଉଛି।

ସିନେମା ହଲ୍‌ରେ ଅଗ୍ନିକାଣ୍ଡ  ୨୫ ବର୍ଷ ତଳେ ୧୩ ଜୁନ ୧୯୯୭ ରେ ଘଟିଥିବା ଛାତିଥରା ଦୃଶ୍ୟକୁ ମନେ ପକାଇ ଦେଇଛି। ୧୩ ଜୁନ୍‌ ୧୯୯୭ରେ ଏହି ସିନେମା ହଲରେ ଅଗ୍ନିକାଣ୍ଡ ଘଟି ୫୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

ଏହି ଘଟଣାରେ ଅଭିଯୁକ୍ତ ସୁଶୀଲ ଅନସାଲ ଏବଂ ଗୋପାଳ ଅନସାଲ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଦଣ୍ଡରେ କୌଣସି କୋହଳ ପାଇ ନ ଥିଲେ। ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ସାତ ବର୍ଷର ଦଣ୍ଡକୁ କାଏମ୍‌ ରଖିଥିଲେ। ସୁଶୀଲ ଅନସାଲ ଏବଂ ଗୋପାଳ ଅନସାଲଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଟ୍ରାଏଲ୍‌ କୋର୍ଟଙ୍କ ଦଣ୍ଡାଦେଶକୁ କୋହଳ କରିବାକୁ ମନା କରିଥିଲେ। ଏହି ସିନେମା ହଲ ୧୯୯୭ ରୁ ବନ୍ଦ ଅଛି।

Share