Categories: ଜାତୀୟ

ମଣିପୁରରେ ପୁଣି ହିଂସାକାଣ୍ଡ: ୨ ମୃତ, ୫୦ ଆହତ

ଗୁଆହାଟୀ,୯।୯: ମଣିପୁରର ଟେଙ୍ଗନୌପାଲ ଓ କାକଚିଂ ଜିଲାରେ ଶୁକ୍ରବାର ପୁଣି ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳୁ ପେଲଲ ସହରରେ ଆସାମ ରାଇଫଲ୍ସର ଯବାନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଅଞ୍ଚଳରେ ମହିଳାମାନେ ରାସ୍ତା ଅବରୋଧ କରିଥିବାବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଶୁକ୍ରବାର ଅପରାହ୍ନ ୧୨ଟାରୁ କଫ୍ୟୁ ଜାରି କରିଛି। ସୂଚନାନୁସାରେ ମେଇତି ସମ୍ପ୍ରଦାୟର କିଛି ବ୍ୟକ୍ତି ପ୍ରଥମେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି କୁକି ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି। ଏଥିରେ ଆସାମ ରାଇଫଲ୍ସର ଜଣେ ଯବାନଙ୍କ ସମେତ କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଇଣ୍ଡିଜେନସ ଟ୍ରାଇବାଲ ଲିଡର୍ସ ଫୋରମ(ଆଇଟିଏଲ୍‌ଏଫ୍‌) ମୁଖପାତ୍ର ଗିଞ୍ଜା ଭୁଆଲଜଙ୍ଗ କହିଛନ୍ତି, ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଚୁକ୍ତିନାମା ହୋଇଥିଲା। କିନ୍ତୁ ଶୁକ୍ରବାରର ଗୁଳିକାଣ୍ଡ ପରେ ଏହା ଭଙ୍ଗ ହୋଇଛି। ଅପରପକ୍ଷେ ମେଇତି ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି, ଆଦିବାସୀ ସମ୍ପ୍ରଦାୟ ପ୍ରଥମେ ଗୁଳିକାଣ୍ଡ ଘଟାଇଥିଲେ। ସେହିପରି କୁକି ସମ୍ପଦାୟ ସେମାନଙ୍କ ଦୁଇଟି ଘରକୁ ଜାଳି ଦେଇଥିଲେ। ଫଳରେ ଏହି ହିଂସାକାଣ୍ଡ ଘଟିଥିଲା। ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ଆରମ୍ଭ ହୋଇଥିବାବେଳେ ପୂର୍ବ ଯୋଜନା ମୁତାବକ ଏହି ହିଂସାକାଣ୍ଡ ଘଟାଯାଉଛି ବୋଲି ମଣିପୁର ଇଣ୍ଟିଗ୍ରିଟି କମିିଟି ମୁଖ୍ୟ ଅତୌବା ଖୁରାଇଜାମ କହିଛନ୍ତି।
ବୁଧବାର ହଜାର ହଜାର ବିକ୍ଷୋଭକାରୀ ବିଷ୍ଣୁପୁର ଜିଲାର ଫୋଉଗାଚୋ ଅଞ୍ଚଳରେ ବିକ୍ଷୋଭ କରିବା ସହ ସୁରକ୍ଷାକର୍ମୀଙ୍କ ବ୍ୟାରିକେଡ ହଟାଇ ନିଜ ନିଜ ଘରକୁ ଫେରିବାକୁ ଉଦ୍ୟମ କରିଥିଲେ। ତେବେ ସୁରକ୍ଷାକର୍ମୀ ବିକ୍ଷୋଭକାରିଙ୍କୁ ପ୍ରତିରୋଧ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ଘଟଣାପରେ ରାଜ୍ୟର ୫ଟି ଜିଲାରେ କର୍ଫ୍ୟୁ ଜାରି କରାଯାଇଥିଲା।

Share