Categories: ଜାତୀୟ

ମଣିପୁରରେ ପୁଣି ହିଂସାକାଣ୍ଡ: ୯ମୃତ, ୧୦ଆହତ

ଇମ୍ଫାଲ,୧୪।୬: ମଣିପୁରରେ ସାମ୍ପ୍ରାଦାୟିକ ନିଆଁ ଥମିବାର ନାଁ ନେଉନାହିଁ। ଦୁଇ ଜନଜାତିଙ୍କ ହିଂସାକାଣ୍ଡ ମଧ୍ୟରେ ଶହ ଶହ ପ୍ରାଣ ହରାଇବା ସହ ଭୂମିହୀନ ହେଉଛନ୍ତି। ତେବେ ମଙ୍ଗଳବାର ରାତିରେ ମଣିପୁରର ମେତେଇ ପ୍ରାଧାନ୍ୟରେ ଥିବା କାଙ୍ଗପୋକି ଜିଲାରେ ହିଂସାକାଣ୍ଡ ହୋଇଛି। ଏଥିରେ ୯ଜଣ ପ୍ରାଣ ହରାଇଥିବାବେଳେ ୧୦ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ, ରାତି ୧ଟାରେ କାଙ୍ଗପୋକି ନିକଟସ୍ଥ ଖାମେଲୋକ ଗ୍ରାମରେ ଏବଂ ଇମ୍ଫାଲ ପୂର୍ବ ଜିଲାରେ ହିଂସାକାଣ୍ଡ ହୋଇଥିଲା। ହିଂସାକାରୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ।
ଏହାଛଡା ମଙ୍ଗଳବାର ବିଷ୍ଣୁପୁର ଜିଲାରେ ମଧ୍ୟ ହିଂସାକାଣ୍ଡ ଘଟିଛି। ଏଠାରେ ଫୋଗାକଚାଓ ଇଖାଇ ଗ୍ରାମରେ କୁକି ସମ୍ପ୍ରଦାୟର ଲୋକମାନେ ମେତେଇ ଅଞ୍ଚଳରେ ବଙ୍କର ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କୁକି ଜନଜାତି ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସୂଚନାଯୋଗ୍ୟ, ମଣିପୁରରେ ୩ମେ’ରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୨୦ଲୋକ ଆହତ ଅଛନ୍ତି।

Share