Categories: ଜାତୀୟ

ବିବାଦରେ କର୍ନାଟକର ଆଉ ଏକ ମସ୍‌ଜିଦ

ଦକ୍ଷିଣ କନ୍ନଡ,୨୪।୫: କର୍ନାଟକର ଶ୍ରୀରଙ୍ଗାପାଟନା ଜାମିଆ ମସ୍‌ଜିଦ ବିବାଦ ପରେ ଏବେ ଉକ୍ତ ରାଜ୍ୟର ଦକ୍ଷିଣ କନ୍ନଡ ଜିଲାରେ ଥିବା ମାଲାଲି ମସ୍‌ଜିଦକୁ ନେଇ ବିବାଦ ମୁଣ୍ଡ ଟେକିଛି। ମାଲାଲିର ଆସାୟିଦ୍‌ ଅବଦୁଲ୍ଲାହିଲ ମଦାନି ମସ୍‌ଜିଦର ନବୀକରଣ କାର୍ଯ୍ୟ ଲାଗି ଖନନ ବେଳେ ମନ୍ଦିର ଢାଞ୍ଚା ମିଳିବା ପରେ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗକୁ ଆଗକୁ ନେବା ଲାଗି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ କର୍ମୀମାନେ ନିଷ୍ପତ୍ତି ନେଇଛନ୍ତି। କାମ ବନ୍ଦ ଲାଗି କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ପ୍ରସଙ୍ଗ ନ ଉଠାଇବାକୁ ପୂର୍ବରୁ ହିନ୍ଦୁ ପକ୍ଷ ନିଷ୍ପତ୍ତି ନେଇଥିଲା। ତେବେ ସତ ପଦାକୁ ଆଣିବା ଲାଗି ଭିଏଚ୍‌ପି ଏବଂ ବଜରଙ୍ଗ ଦଳ କର୍ମୀ ଚାହୁଁଛନ୍ତି।
କର୍ନାଟକ ଉପକୂଳ ଅଞ୍ଚଳରେ ସାଧାରଣତଃ ଲୋକେ ସେମାନଙ୍କ ପୂର୍ବଜଙ୍କ ଇତିହାସ ଜାଣିବା ଲାଗି ପୂଜକଙ୍କ ଦ୍ୱାରସ୍ଥ ହୋଇଥାନ୍ତି। ଏହା ଏକ ବିଶ୍ୱସ୍ତ ପ୍ରଥା ଭାବେ ରହିଆସିଛି। ଏହାକୁ ତମ୍ବୁଲା ପ୍ରଶ୍ନ କୁହାଯାଏ। ମାଲାଲି ମସ୍‌ଜିଦ ଏକଦା ମନ୍ଦିର ଥିଲା ବୋଲି ଯଦି ପୂଜକ କହିବେ, ତେବେ ହିନ୍ଦୁ କର୍ମୀମାନେ ଆଇନର ଆଶ୍ରୟ ନେବେ ଓ ମସ୍‌ଜିଦରେ ସେମାନଙ୍କ ଅଧିକାର ଦାବି ଲାଗି ଅନ୍ୟ ପନ୍ଥା ଆପଣାଇବେ। ମସ୍‌ଜିଦର ଇତିହାସ ସମ୍ପର୍କରେ ନିଶ୍ଚିତ ହେବା ଲାଗି ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ହିନ୍ଦୁ କର୍ମୀ ଅଷ୍ଟମଙ୍ଗଳ ପ୍ରଶ୍ନ କରିପାରନ୍ତି। ଏହା ଅଧିକ ପାରମ୍ପରିକ ହିନ୍ଦୁ ଜ୍ୟୋତିଷଶାସ୍ତ୍ର ପଦ୍ଧତି।

Share