Categories: ଜାତୀୟ

ଆଉ ଜଣେ କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା

ନୂଆଦିଲ୍ଲୀ,୧ା୬: ଜମ୍ମୁ-କଶ୍ମୀରର କୁଲ୍‌ଗାମ ଜିଲାରେ ମଙ୍ଗଳବାର ଆତଙ୍କବାଦୀମାନେ ଜଣେ ପ୍ରବାସୀ କଶ୍ମୀରୀ ପଣ୍ଡିତ ହାଇସ୍କୁଲ୍‌ ଶିକ୍ଷୟିତ୍ରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କଶ୍ମୀରରେ ମାସକ ମଧ୍ୟରେ ଏହା ସପ୍ତମ ଟାର୍ଗେଟ କିଲିଂ। ମୃତ ଶିକ୍ଷୟିତ୍ରୀ ରଜନୀ ବଳ (୩୬) ସାମ୍ବା ବାସିନ୍ଦା। ମଙ୍ଗଳବାର ଦିନ ୧୦ଟାରେ କୁଲ୍‌ଗାମର ଗୋପାଳପୋରାସ୍ଥିତ ସ୍କୁଲ ବାହାରେ ଆତଙ୍କବାଦୀ ତାଙ୍କ ଉପରେ ଗୁଳି ଚଳାଇବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ଆତଙ୍କବାଦୀମାନେ କିଛିଦିନ ହେଲା ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆକ୍ରମଣ କରିଆସୁଛନ୍ତି। କଶ୍ମୀର ଏବେ ୯୦ ଦଶକଠାରୁ ଅଧିକ ବିପଜ୍ଜନକ ହୋଇପଡ଼ିଥିବା କଶ୍ମୀରୀ ପଣ୍ଡିତମାନେ ଅଭିଯୋଗ କରିଛନ୍ତି। ପୋଲିସ ଆକ୍ରମଣ ସ୍ଥଳକୁ ଚାରିପଟୁ ଘେରି ରହିବା ସହ ଆକ୍ରମଣକାରୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେଶନ ଚଳାଇଛି। ଅପରାଧରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀ ହତ୍ୟା ପ୍ରତିବାଦରେ ଶ୍ରୀନଗରରେ କଶ୍ମୀରୀ ପଣ୍ଡିତମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆମେ ନ୍ୟାୟ ଚାହୁଁ। ଟାର୍ଗେଟ୍‌ କିଲିଂ ବିରୋଧରେ ସରକାର ପଦକ୍ଷେପ ନେବା ଆବଶ୍ୟକ। ବାହାର ରାଜ୍ୟରୁ ଆସି କଶ୍ମୀର ଉପଖଣ୍ଡରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକୁ ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ନିନ୍ଦା କରିଛନ୍ତି। ଉପତ୍ୟକାରେ ଟାର୍ଗେଟ କିଲିଂ ବଢ଼ିଚାଲିଥିବାବେଳେ ସ୍ବାଭାବିକତା ଫେରିଥିବା ନେଇ କେନ୍ଦ୍ର ସରକାର ମିଥ୍ୟା ଦାବି କରୁଥିବା ମେହବୁବା କହିଛନ୍ତି।

Share