୧୮ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୦ । ୧୦(ବ୍ୟୁରୋ): ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ। ସ୍ବାଭାବିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶାରୁ ଅପସରି ଯାଇଥାଏ। ଲଗାତର ଲଘୁଚାପ ସୃଷ୍ଟି ହେଉଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଛି। ତେଣୁ ଚଳିତ ମାସ ଶେଷ ସପ୍ତାହରେ ମୌସୁମୀ ଓଡ଼ିଶା ଛାଡ଼ିବ ବୋଲି ଅନୁମାନ କରାଯାଉଛି।
ଅନ୍ୟପଟେ ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ୧୦ ତାରିଖ ସକାଳ ସୁଦ୍ଧା ଅବପାତ (ଡିପ୍ରେସନ)ରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୧୧ ତାରିଖ ସନ୍ଧ୍ୟାରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହି ଲଘୁଚାପ ପରେ ୧୮ ତାରିଖରେ ଆଣ୍ଡାମାନ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ କି ନାହିଁ ତାହା ଆସନ୍ତା ୧୩ ତାରିଖ ବେଳକୁ ଜଣାପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ଅପରପକ୍ଷେ ୯ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୧୧ ତାରିଖରେ ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଅଧିକ ବର୍ଷା ସମ୍ଭାବନା ଥିବା ମାଲକାନଗରି, କନ୍ଧମାଳ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଏବଂ ନୟାଗଡ଼ ଜିଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୨ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ ଏବଂ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅବପାତ ଯୋଗୁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି ବେଗରେ ପବନ ବହିପାରେ। ତେଣୁ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧୦ ତାରିଖ ପୂର୍ବରୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ଜିଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ପାଗ ଶୁଖିଲା ରହିଛି। ଆସନ୍ତା ୧୧ ତାରିଖ ଯାଏ ଏପରି ପାଗ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାନ୍ଦବାଲିରେ ୫.୪ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

Share