ଆଉଏକ ଲଘୁଚାପ ସୃଷ୍ଟି: ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୦।୮ (ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ରବିବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ସୋମବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଏଥିସହ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୧୦ ଓ ୧୨ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ଼ ଆଦି ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ୧୨ ଓ ୧୩ ତାରିଖରେ ଉତ୍ତରଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବ। ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଲଘୁଚାପ ଯୋଗୁ ଦକ୍ଷିଣ ଓଡ଼ିଶାରେ ଥିବା ଅଂଶଧରା, ଋଷିକୂଲ୍ୟା ଏବଂ ହାତୀ ନଦୀରେ ବନ୍ୟା ହେବାର ସମ୍ଭାବନା ରହିଛି। ଏଥିସହିତ କେତେକ ତଳିଆ ଅଞ୍ଚଳରେ ବର୍ଷାପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟାକୁ ୪୦ରୁ ୫୦କିମି ବେଗରେ ପବନ ବୋହିବ। ତେଣୁ ମତ୍ସଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

Share