ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଗୁରୁବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାଛଡା ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ଆନ୍ଧ୍ର ଦେଇ ଓଡ଼ିଶା ଉପକୂଳକୁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଶନିବାର ଲଗାଣ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ସତର୍କ କରାଯାଇଛି। ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଲୋକମାନଙ୍କ ପାଖରେ ଯେମିତି ସତର୍କ ଖବର ପହଞ୍ଚିବ, ସେଥିପାଇଁ ବ୍ୟବସ୍ଥା କରିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି। କିଛି ଅଘଟଣ ଘଟିଲେ ତୁରନ୍ତ କାର୍ଯ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡ଼ା ଶନିବାର ଆଣ୍ଡାମାନ ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା କରାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଏବଂ ଘୂର୍ଣ୍ଣିବଳୟ ଯୋଗୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିବା ସହ ପ୍ରବଳ ବର୍ଷା ହୋଇଛି।