ଆସୁଛି ଆଉ ଏକ ଲଘୁଚାପ: ୯ରୁ ୧୨ ଯାଏ ବର୍ଷିବ

ଭୁବନେଶ୍ୱର,୫ା୭(ବ୍ୟୁରୋ)-ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁ ରାଜ୍ୟରେ ମରୁଡ଼ି ଆଶଙ୍କା ମଧ୍ୟ କେତେକାଂଶରେ ଟଳିଯାଇଛି। ରାଜ୍ୟରେ ବିଭିନ୍ନ ଭାଗରେ ବୁଧବାର ରୁଆ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇଛି।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲାର ଝୁମ୍ପୁରାରେ ୨୯୦ ମିଲିମିଟର ବର୍ଷା ହୋଇଥିବା ବେଳେ ବୌଦ୍ଧ ଜିଲାର ଖଇରାମାଳରେ ୧୮୦, ସୋନପୁର ୧୭୦, କଟକ ୧୭୦, ପୁରୀ ଜିଲାର ଗୋପରେ ୧୫୦, ଭୁବନେଶ୍ୱରରେ ୧୫୦, କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇରେ ୧୪୦, କେନ୍ଦୁଝର ଜିଲାର ତେଲକୋଇ ୧୪୦, ବାଙ୍କୀରେ ୧୩୦, ସମ୍ବଲପୁରର ରେଢାଖୋଲରେ ୧୩୦, ଢେଙ୍କାନାଳର ଭୁବନରେ ୧୩୦, ଭଦ୍ରକର ତିହିଡିରେ ୧୩୦, ସୁନ୍ଦରଗଡ଼ରେ ୯୦, କୋରାପୁଟରେ ୭୦, ଝାରସୁଗୁଡ଼ାର ଲଖନପୁରରେ ୭୦, ପାରାଦୀପରେ ୭୦, ଅନୁଗୋଳର ପାଲଲହଡ଼ାରେ ୭୦, କୋରାପୁଟର ଜୟପୁରରେ ୭୦, ସମ୍ବଲପୁରର କୁଚିଣ୍ଡାରେ ୭୦, ଜଗତ୍‌ସିଂହପୁରର ବାଲିକୁଦାରେ ୭୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅଗଷ୍ଟ ୪ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଓ୍ବେଲ୍‌ମାର୍କ ଲୋକ ପ୍ରେସରରେ ପରିଣତ ହୋଇ ଛତିଶଗଡ଼ ଉପରକୁ ଚାଲିଯାଇଛି। ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଅନୁଗୋଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦୁଝର ଏବଂ ବାଲେଶ୍ୱର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି। ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭବାରେ ୯ ଓ ୧୦ ତାରିଖ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ। ତେବେ ଏହାର ପ୍ରଭାବରେ ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ବଂଶଧାରା, ଋଷିକୁଲ୍ୟା ଏବଂ ହାତୀ ନଦୀରେ ବନ୍ୟା ଆସିବା ସମ୍ଭାବନା ରହିଛି। ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share