ଭୁବନେଶ୍ୱର,୧୨ା୮(ବ୍ୟୁରୋ): ରାଜ୍ୟରେ ଗୋଟିଏ ଗୋଟିଏ ଲଘୁଚାପ ଜାରି ରହିଛି। ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଶୁକ୍ରବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଏବଂ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ଏଥିଲାଗି ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୧୫ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ସତର୍କ କରାଯାଇଛି। ଏଥିସହ ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟିହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ବିଭାଗ ପୂର୍ବାନୁମାନ କରିଛି।