୬ରେ ଆଉ ଏକ ଲଘୁଚାପ, ୧୦ ଯାଏ ଏହି ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୪ରୁ ୧୦ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ନିୟାମକ ସକ୍ରିୟ ନ ଥିବା ବେଳେ ଆଗାମୀ ୩ ତାରିଖ ଯାଏ ବଡ ବର୍ଷା ନାହିଁ। ତେବେ ରବିବାର ଭୁବନେଶ୍ୱର ସମେତ ରାଜ୍ୟର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅକ୍ଟୋବର ୩ ପରେ ଉପକୂଳ ଓଡ଼ିଶାର କିଛି ଜିଲା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳରେ ବର୍ଷା ହୋଇପାରେ। କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ୪ ତାରିଖ ପରେ ପୁଣି ବର୍ଷାର ପରିମାଣ ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି।
ସୂଚନା ଥାଉକି, ଚଳିତ ମୌସୁମୀରେ ରାଜ୍ୟରେ ଜୁନ୍‌ ୧ରୁ ବର୍ତ୍ତମାନ ସୁଦ୍ଧା ୧୦୯୦.୮ ମିମି ବର୍ଷା ହୋଇଛି, ଯାହା ସ୍ବାଭାବିକ ବର୍ଷା ୧୧୪୪.୩ ମିମିଠାରୁ ୫ ପ୍ରତିଶତ ନିଅଣ୍ଟିଆ ରହିଛି। ବର୍ତ୍ତମାନ ସୁଦ୍ଧା ୨ଟି ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ସେହିପରି ୨୪ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବାବେଳେ ୪ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ଦିଆଯାଇଛି।

Share