କ୍ୱିଭ୍, ୨୩।୪ : ଧ୍ୱଂସ ହୋଇଥିବା ୟୁକ୍ରେନ ସହର ମାରିଅପୋଲ ବାହାରେ ଆଉ ସାମୁହିକ କବର ଠାବ ହୋଇଛି। ଏନେଇ ସ୍ଥାନୀୟ ନଗରପାଳଙ୍କ ଉପଦେଷ୍ଟା ଏହି ସୂଚନା ଦେଇଛନ୍ତି। ପ୍ଲାନେଟ ଲ୍ୟାବ ଦ୍ୱାରା ନିଆଯାଇଥିବା ଏହି କବର ଫଟୋ ଉପଗ୍ରହ ଦ୍ୱାରା ଉତ୍ତୋଳିତ ହୋଇଛି। ଫଟୋକୁ ନଗର ପରିଷଦ ପକ୍ଷରୁ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରାଯାଇଛି।
ଏହି କବରଟି ୪୫ ମିଟର ଲମ୍ବ ଏବଂ ୨୫ ମିଟର ଚୌଡା। ଏଥିରେ ହଜାରେରୁ ଅଧିକ ମାରିଅପୋଲ ବାସିନ୍ଦାଙ୍କ ମୃତଦେହ ରହିଥିବା ଆଶଙ୍କା କରାଯାଉଛି। ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଆସନ୍ତା ସପ୍ତାହରେ ୟୁକ୍ରେନ ଗସ୍ତ କରିବେ।
ମଙ୍ଗଳବାର ଦିନ ମସ୍କୋରେ ଭ୍ଲାଡିମିର ପୁଟିନଙ୍କୁ ଭେଟିବା ପରେ ଗୁଟେରସ କ୍ୱିଭ୍ ଅଭିମୁଖେ ଯାତ୍ରା କରିବେ ଏବଂ ସେଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବେ। ଏହା ବ୍ୟତୀତ ସେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।