ନୂଆଦିଲ୍ଲୀ,୧୦।୭:ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ। ଅଜିତ ପାୱାର ଏବଂ ଶରଦ ପାୱାର ଗୋଷ୍ଠୀର ବିଧାୟକଙ୍କ ମଧ୍ୟରେ ଅଦଳବଦଳ ଚାଲିଛି। ବର୍ତ୍ତମାନ ଆଉ ଜଣେ ବିଧାୟକ ଅଜିତ ପାୱାର ଦଳରୁ ସିନିୟର ପାୱାରଙ୍କ ଦଳକୁ ଫେରିଛନ୍ତି। ମାର୍କଣ୍ଡ ଯାଦବ ପାଟିଲ ହେଉଛନ୍ତି ତୃତୀୟ ବିଧାୟକ ଯିଏକି ସପ୍ତାହେ ମଧ୍ୟରେ ଅଜିତ ପାୱାରଙ୍କ ଦଳ ଛାଡିଛନ୍ତି। ତାଙ୍କ ପୂର୍ବରୁ ରାମରାଜ ନାୟକ-ନିମ୍ବଲକର ଏବଂ ଦୀପକ ଚହ୍ବାନ ଅଜିତଙ୍କ ଦଳରୁ ଶରଦଙ୍କ କ୍ୟାମ୍ପକୁ ଫେରିଛନ୍ତି।
ମାର୍କଣ୍ଡ ଯାଦବ ପାଟିଲ ମହାରାଷ୍ଟ୍ରର ସତାରା ଜିଲାର ଓ୍ବାଇ ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ତାଙ୍କ ପଥ ଅନୁସରଣ କରି ଶତାଧିକ ସମର୍ଥକ ମଧ୍ୟ ଶରଦ କ୍ୟାମ୍ପକୁ ଫେରିଛନ୍ତି। ଅନ୍ୟପକ୍ଷରେ ଶରଦ ପାୱାର ଦଳର କିରଣ ଲାମହେଟ ଅଜିତଙ୍କ କ୍ୟାମ୍ପକୁ ଆସିଛନ୍ତି।
ଅଜିତ ଶିବସେନା-ଭାଜପା ସରକାରରେ ଯୋଗଦେବା ପରେ ଏନସିପି ଦୁଇଟି ଦଳରେ ବିଭକ୍ତ ହୋଇଛି। ଦାଦା ଏବଂ ପୁତୁରାଙ୍କ ମଧ୍ୟରେ ଦଳର ନିୟନ୍ତ୍ରଣ ପାଇଁ ଲଢେଇ ଆରମ୍ଭ ହୋଇଛି।