ବଳିଦାନର ଅନ୍ୟ ନାମ ବାଜି ରାଉତ

ପ୍ରହଲାଦ କୁମାର ସିଂହ

ଏଡ଼ିକି ସେ ଅମାନିଆ ପିଲା
ଫଉଜର ଗୁଳିଗୁଳା, ରଜା, ଝଡ଼ କିଛି ନ ମାନିଲା।
ଧୂଳିଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସିହସି ଦେଲା ସିନା ବାଢ଼ି।…
ସ୍ବାଧୀନତା ସଂଗ୍ରାମ ସମୟରେ ଚାଲିଥିବା ଗଡ଼ଜାତ ପ୍ରଜା ଆନ୍ଦୋଳନରେ ଦେଶର ସର୍ବକନିଷ୍ଠ ଶହୀଦ ବାର ବର୍ଷର ବାଳକ ବାଜି ରାଉତ। ତାଙ୍କ ସମେତ ୬ ଜଣଙ୍କ ଚିତାଗ୍ନି ଜଳୁଥିବା ବେଳେ କଟକର ଶ୍ମଶାନଘାଟରେ ଏହି କାଳଜୟୀ କବିତା ଲେଖିଥିଲେ କବି ସଚ୍ଚି ରାଉତରାୟ। ବର୍ତ୍ତମାନ ପିଢ଼ିର ଲୋକେ ହୁଏତ ବିଶ୍ୱାସ କରିବେ ନାହଁି ଯେ ବାଜି ରାଉତ ଭଳି ଛୋଟ ପିଲାଟିଏ ଜୀବନକୁ ବାଜି ଲଗାଇଦେଲା ସିନା ବ୍ରିଟିଶ୍‌ ଫୌଜ ଆଗରେ ମୁଣ୍ଡ ନୁଅଁାଇଲା ନାହଁି। ଏହି ବଳିଦାନର ଅମର ଗାଥା ଭାରତ ଇତିହାସରେ ଯେପରି ଭାବେ ସ୍ଥାନିତ ହେବା କଥା ତାହା ଅଦ୍ୟାବଧି ହୋଇନାହଁି।
ବ୍ରିଟିଶ୍‌ ସରକାରଙ୍କ ଛତ୍ରଛାୟା ତଳେ ରହି ଢେଙ୍କାନାଳର ରାଜା ଯେପରି ବର୍ବରତାର ସୀମା ଟପି ଯାଇଥିଲେ, ତାହାର ଲୋମଟାଙ୍କୁରା ବିବରଣୀ ବ୍ରଜକିଶୋର ଧଳଙ୍କ ‘ଭୁଲିବୁ ନାହଁି’ ଓ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କ ‘ଢେଙ୍କାନାଳର ଗଣବିଦ୍ରୋହ’ରେ ଦେଖିବାକୁ ମିଳେ। ଏହାଛଡ଼ା ଢେଙ୍କାନାଳ ପ୍ରଜା ଆନ୍ଦୋଳନର ଅନ୍ୟତମ ନେତା ବୀର ବୈଷ୍ଣବ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି କାଳିନ୍ଦୀ ଚରଣ ପାଣିଗ୍ରାହୀ, ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକ, ମନମୋହନ ମିଶ୍ର, ରାଧାମୋହନ ଗଡ଼ନାୟକଙ୍କ ଭଳି ଓଡ଼ିଶାର ପ୍ରଥିତଯଶା କବି ଓ ସାହିତି୍ୟକମାନଙ୍କ ଲେଖନୀ ମୁନରେ ଶହୀଦ ବାଜିଙ୍କ ବଳିଦାନ ସମେତ ଢେଙ୍କାନାଳ ଗଡ଼ଜାତ ଅତ୍ୟାଚାରର ଅନେକ କାହାଣୀ ଲିପିବଦ୍ଧ ହୋଇ ରହିଛି। ଯତନ ନଗରର ଯନ୍ତ୍ରଣାକୁ ସେମାନେ ଯତ୍ନର ସହ ପୁସ୍ତକ ପୃଷ୍ଠାରେ ସାଇତି ରଖିଛନ୍ତି।
ଢେଙ୍କାନାଳ ଗଡ଼ଜାତର ଲୋମଟାଙ୍କୁରା ଅତ୍ୟାଚାରରେ ଦୁର୍ବିଷହ ଜନତାଙ୍କ ସ୍ବତଃପ୍ରବୃତ୍ତ ମେଳିରୁ ସୃଷ୍ଟି ହୋଇଥିଲା ଗଡ଼ଜାତ ପ୍ରଜା ଆନ୍ଦୋଳନ। ଏହାକୁ ଦବାଇବା ପାଇଁ ବ୍ରିଟିଶ୍‌ ଫୌଜଙ୍କ ସହାୟତାରେ ଢେଙ୍କାନାଳ ରାଜା ଯେକୌଣସି ପଦକ୍ଷେପ ନେବାକୁ ବି ପଛାଉ ନଥିଲେ। ପ୍ରଜା ଆନ୍ଦୋଳନକୁ ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ସାରଙ୍ଗଧର ଦାସ, ଗୌରାଙ୍ଗ ଚରଣ ଦାସ, ମାଳତୀ ଚୌଧୁରୀଙ୍କଠାରୁ ଆରମ୍ଭ କରି ବହୁ ସଂଗ୍ରାମୀ ଖୋଲା ସମର୍ଥନ ଦେଉଥିଲେ।
ପ୍ରଜାମଣ୍ଡଳ ମେଳିରେ ଆତଙ୍କିତ ରାଜାଙ୍କ ନିବେଦନକ୍ରମେ କଲିକତାରୁ ୨୫୦ ସଶସ୍ତ୍ର ବ୍ରିଟିଶ୍‌ ଫୌଜ ଆସି ପହଞ୍ଚତ୍ଲେ ଢେଙ୍କାନାଳରେ। ଏହାଛଡ଼ା ଢେଙ୍କାନାଳ ରାଜାଙ୍କ ଅନ୍ୟ ବନ୍ଧୁ ଗଡ଼ଜାତ ରାଜାମାନେ ଆନ୍ଦୋଳନ ଦବାଇବା ପାଇଁ ସେମାନଙ୍କ ସୈନ୍ୟ ପଠାଇଥିଲେ। ସେ ଥିଲା ୧୯୩୮ ମସିହା କଥା। ସେତେବେଳକୁ ଢେଙ୍କାନାଳ ରାଜା ଲୋକଙ୍କ ଉପରେ ରାଜଭକ୍ତ କର ନାମରେ ଏକ ନୂଆ ଟିକସ ଲଦିଥା’ନ୍ତି। ଯେଉଁମାନେ ରାଜକର ଦେବାକୁ କୁଣ୍ଠାବୋଧ କରୁଥା’ନ୍ତି, ସେମାନଙ୍କ ଉପରେ ଅତ୍ୟାଚାର ସହିତ ସମ୍ପତ୍ତି ବାଜ୍ୟାପ୍ତି ହୋଇଥାଏ। ବୀର ବୈଷ୍ଣବ ପଟ୍ଟନାୟକ, ହରମୋହନ ପଟ୍ଟନାୟକ, ବ୍ରଜ କିଶୋର ଧଳ, ସୁବାହୁ ସିଂଙ୍କ ଭଳି ନେତାମାନେ କିନ୍ତୁ ପରିଣାମକୁ ଖାତିର ନ କରି ଆନ୍ଦୋଳନକୁ ତେଜୁଥା’ନ୍ତି। ସେତେବେଳକୁ ଓଡ଼ିଶାର ସବୁଠାରୁ ବଡ଼ ଗଁା ଭୁବନରେ ପ୍ରଜାମେଳି ଜୋରଦାର ହେଉଥାଏ। ଏହି ଖବର ପାଇ ବେଜେଲ୍‌ ଗେଟ୍‌ଙ୍କ ନେତୃତ୍ୱରେ ବ୍ରିଟିଶ୍‌ ଓ ରାଜାଙ୍କ ଫୌଜ ୧୯୩୮ ଅକ୍ଟୋବର ୧୦ ରେ ଭୁବନ ଉପରେ ଚଢ଼ାଉ କଲେ। ସେଠାରେ ଅନେକ ଘର ଭାଙ୍ଗିଲେ। ଲୋକେ ବିରୋଧ କରିବାରୁ ଆତଙ୍କିତ ପୋଲିସ ଫୌଜ ଆଖିବୁଜା ଗୁଳିଚାଳନା କଲେ। ଘଟଣାସ୍ଥଳରେ ରଘୁ ନାୟକ ଓ ଗୁରି ନାୟକ ଶହୀଦ ହେଲେ। ଲୋକେ ଜୀବନକୁ ପାଣି ଛଡ଼ାଇ ହତ୍ୟାକାରୀ ପୋଲିସ ବାହିନୀ ଉପରେ ପ୍ରତିଶୋଧ ନେବା ପାଇଁ ଆଗେଇ ଆସିଲେ। ଏଥିରେ ଆତଙ୍କିତ ହୋଇ ପୋଲିସ ପଛଘୁଞ୍ଚା ଦେଲା। ଜୀବନ ବିକଳରେ ଏମାନେ ଢେଙ୍କାନାଳ ଫେରିବା ପାଇଁ ଦୌଡ଼ିଲେ।
ସେ ଥିଲା ୧୯୩୮ ଅକ୍ଟୋବର ୧୦-୧୧ ରାତି। ପ୍ରଜା ଆନ୍ଦୋଳନର ବାନର ସେନାରେ ସାମିଲ ହୋଇଥିବା ବାର ବର୍ଷର ବାଳକ ବାଜି ରାଉତ ନୀଳକଣ୍ଠପୁର ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗିଥାଏ। ଆଗରେ ଭରା ନଈ, ପଛରେ ପ୍ରତିଶୋଧ ନେବା ପାଇଁ ଦୌଡ଼ୁଥିବା ଜନସମୁଦ୍ର। ଏ ପରିପ୍ରେକ୍ଷୀରେ ନଈ ପାରି ହେବା ପାଇଁ ଥିବା ଏକମାତ୍ର ଡଙ୍ଗାକୁ ରାତିରେ ଜଗିଥାଏ ବାଳକ ବାଜିଆ। ପୋଲିସ ବାହିନୀର ନିର୍ଦ୍ଦେଶ ସେମାନଙ୍କୁ ନଦୀ ପାରି କରିଦେବା ପାଇଁ। କିନ୍ତୁ ବୀର ବାଳକ ବାଜିଆର ରୋକ୍‌ଠୋକ୍‌ ଉତ୍ତର, ‘ପ୍ରଜାମଣ୍ଡଳର ନିର୍ଦ୍ଦେଶ ଅଛି, ରାଜାର ଫୌଜଙ୍କୁ ନଦୀ ପାରି କରାଇ ଦେବି ନାହଁି।’ ଏ ପରିପ୍ରେକ୍ଷୀରେ ବ୍ରିଟିଶ୍‌ ଫୌଜର ଲାଠି ଓ ବନ୍ଧୁକର ଧମକକୁ ସେ ବେଖାତିର କରିବାରୁ ଶେଷରେ ଫୌଜଙ୍କ ଗୁଳି ବାଜି ରାଉତଙ୍କ ମୁଣ୍ଡରେ ବାଜିଲା। ଗଁା ମାଟି ନୀଳକଣ୍ଠପୁର ଓ ତାହା ନିକଟରେ ପ୍ରବାହିତ ପବିତ୍ର ବ୍ରାହ୍ମଣୀର ଜଳରାଶିରେ ବାଜିଙ୍କର ରକ୍ତ ମିଶିଲା। ସେହି ନୀଳକଣ୍ଠପୁର ଘାଟରେ ହୋଇଥିବା ସଂଘର୍ଷରେ ଲକ୍ଷ୍ମଣ ମଳିକ, ନଟ ମଳିକ ଓ ହୁରୁଷି ପ୍ରଧାନଙ୍କ ଭଳି ଆଉ ୩ ଜଣ ଗ୍ରାମବାସୀ ଶହୀଦ ହେଲେ। ଏଭଳି ଏକ ଆତଙ୍କଜନକ ପରିସ୍ଥିତିରେ ବାଜିଙ୍କୁ ମାରି ଅନ୍ଧାରରେ ଲୁଚି ଡଙ୍ଗା ଧରି ପଳାଇ ଆସିଲେ ପୋଲିସ ଫୌଜ। ଅବଶ୍ୟ ପରେ ଏହି ଗଣହତ୍ୟାର ଖଳନାୟକ ବେଜେଲ୍‌ ଗେଟ୍‌ଙ୍କୁ ରଣପୁର ରାଜବାଟୀ ନିକଟରେ ଉତ୍ତ୍ୟକ୍ତ ଲୋକେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ।
ଶହୀଦ ବାଜି ରାଉତ, ହୁରୁଷି ପ୍ରଧାନ, ଲକ୍ଷ୍ମଣ ମଳିକ, ନଟ ମଳିକ, ରଘୁ ନାଏକ ଓ ଗୁରି ନାଏକଙ୍କ ମର ଶରୀରଗୁଡ଼ିକୁ ବୀର ବୈଷ୍ଣବ ପଟ୍ଟନାୟକଙ୍କ ନେତୃତ୍ୱରେ କିଛି ସ୍ବେଚ୍ଛାସେବୀ ରେଳଗାଡ଼ିରେ କଟକ ଆଣିଲେ। କଟକରେ ୬ଟି ଶଗଡ଼ଗାଡ଼ିରେ ଏହି ୬ଜଣ ଶହୀଦଙ୍କର ଶବାଧାର ରଖାଯାଇ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ହଜାର ହଜାର ମୁକ୍ତିକାମୀ ଜନତାଙ୍କ ଉପସ୍ଥିତିରେ ଶ୍ମଶାନଘାଟରେ ଏମାନଙ୍କ ଜୁଇ ଜଳି ଉଠିଲା।
ଶହୀଦ ବାଜି ରାଉତଙ୍କ ସ୍ମୃତିର ସ୍ମାରକୀ ଭାବେ ଅନୁଗୋଳରେ ରହିଛି ମାଳତୀ ଚୌଧୁରୀଙ୍କ ଦ୍ୱାରା ସ୍ଥାପିତ ବାଜି ରାଉତ ଛାତ୍ରାବାସ। ଦୁଃଖ ଓ ପରିତାପର ବିଷୟ ଯେ, ଭାରତ ଇତିହାସରେ ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ସ୍ଥାନିତ ହୋଇପାରି ନାହିଁ। ଦେଶ ସ୍ବାଧୀନ ହୋଇଛି। ସ୍ବାଧୀନତା ପରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ ଆଦି ଭିନ୍ନ ରୂପରେ ରହିଥିବା ବେଳେ ଆଜି ଭାରତମାତା ଖୋଜୁଛି ବାଜି ରାଉତଙ୍କ ଭଳି ବୀର ବାଳକମାନଙ୍କୁ, ଯେଉଁମାନେ ପୁଣି ନିଜ ଜୀବନକୁ ବାଜି ଲଗାଇ ମାତୃଭୂମିର ସେବା କରିପାରିବେ।
ମୋ: ୯୪୩୭୦୧୭୩୯୫