ଓଡ଼ିଆ ଭାଷାକୁ ଲୋକଙ୍କଠାରୁ ଦୂରେଇ ରଖିବା ପାଇଁ ଆନ୍ଧ୍ରର ଆଉ ଏକ ନୂଆ ଚାଲ୍‌

ପଟ୍ଟାଙ୍ଗି,୧୭ା୮(ଶରତ ଧଳ): ପଡ଼ୋଶୀ ଆନ୍ଧ୍ର ରାଜ୍ୟ ବିଭିନ୍ନ ସମୟରେ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକରେ ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ବିବାଦ ବଢାଇ ଚାଲିଥିବା ବେଳେ ବର୍ତ୍ତମାନ ଏବେ ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ସୀମାନ୍ତ ଗ୍ରାମବାସୀ କିପରି ଓଡ଼ିଆ ଭାଷା ପ୍ରତି ଯେପରି ଆକୃଷ୍ଟ ନ ହେବେ ଏହାକୁ ଲକ୍ଷ୍ୟ କରି ନିଜର ସରକାରୀ ଯୋଜନାର କାର୍ଯ୍ୟକ୍ରମ ସୂଚିତ ତେଲ୍‌ଗୁ ନାମଫଳକ ଲଗାଇ ବିବାଦ ଆରମ୍ଭ କରିଛି। ଏହା ଉପରେ ଓଡ଼ିଶାର ଜିଲା ପ୍ରଶାସନର ଦୃଷ୍ଟି ନ ପଡ଼ିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହିପରି କିଛି ବିବାଦ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା ଓଡ଼ିଶାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଧୂଳିପଦର ଗ୍ରାମରେ।

ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତ ତଥା ସୀମାନ୍ତ ଗ୍ରାମଗୁଡ଼ିକରେ ଥିବର ଓଡ଼ିଶାର ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଶନିବାର ଅର୍ଥାତ ୧୨ ତାରିଖରେ ଧୂଳିପଦର ଗ୍ରାମରେ ଏକ ସିମେଣ୍ଟ ସ୍ଥାୟୀ ନାମଫଳକ ନିର୍ମାଣ କରି ଜଳ ଜଙ୍ଗଲ, ଜମି ସୁରକ୍ଷା ଓ ମନେରଗା କାର୍ଯ୍ୟ ସମ୍ପର୍କିତ ସୂଚନା ତେଲ୍‌ଗୁ ଭାଷାରେ ଲେଖି ସୀମାନ୍ତ ଗ୍ରାମବାସୀଙ୍କୁ ସଚେତନତା କରିଛି। ତେବ ଏହି ଦୃଶ୍ୟ ଉପରେ ଓଡ଼ିଶାର ଜିଲା ପ୍ରଶାସନର ଦୃଷ୍ଟି ନ ପଡ଼ିବା ସହ ଉକ୍ତ ସୀମାନ୍ତ ଅଞ୍ଚଳକୁ ନିୟମିତ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଶିକ୍ଷୟିତ୍ର/ ଶିକ୍ଷକ, ରାଜସ୍ବ ନିରୀକ୍ଷକ ଏହିପରି ସମସ୍ତ ଅଧିକାରୀ ଓ କର୍ମଚାରୀ ଯାଉଥିବା ସହ ପଞ୍ଚାୟତରେ ପୋଲିସ ଥାଇ ମଧ୍ୟ କିପରି ତେଲ୍‌ଗୁ ଭାଷା ଲିଖିତ ସ୍ଥାୟୀ ନାମଫଳକ ଉପରେ ଦୃଷ୍ଟି ପଡ଼ିନାହିଁ । ଏହାକୁ ନେଇ ପ୍ରଶ୍ନ ଉଠିଥିବା ସହ ସୀମାନ୍ତ ଗ୍ରାମ ପ୍ରତି ସୁରକ୍ଷା ବ୍ୟବସ୍ଥା ଉପରେ ଓଡ଼ିଶାର ଉକ୍ତ ଅଧିକାରୀମାନେ କେତେ ସଜାଗ ଅଛନ୍ତି ଏହିପରି ଦୃଶ୍ୟରୁ ସ୍ପଷ୍ଟ ବାରି ହେଉଛି। ଆନ୍ଧ୍ରର ଏହିପରି ହୀନ ଚକ୍ରାନ୍ତକୁ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ ନିନ୍ଦା କରିଥିବା ବେଳେ ଆନ୍ଧ୍ରର ଏହିପରି ଚାଲ ପଛରେ କିଛି ନା କିଛି ଗୋଟିଏ ବଡ଼ ଷଡ଼ଯନ୍ତ୍ର ରହିଥିବ ବୋଲି ପ୍ରକାଶ କରିଛନ୍ତି।

Share