
ଭୁବନେଶ୍ୱର,୮।୪: ଓ୍ବକ୍ଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଦଳର ଅଧେ ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ କରୁଛନ୍ତି। ଅନ୍ୟପକ୍ଷେ ପାଣ୍ଡିଆନଙ୍କ ସପକ୍ଷରେ ପୋଷ୍ଟ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା। ଯାହା ସବୁ ହେଉଛି ଦଳ ପାଇଁ କ୍ଷତିକାରକ, ଏହାର ଯବନିକା ପଡ଼ିବା ଉଚିତ। ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି, ତାଙ୍କୁ ଚର୍ଚ୍ଚା କରି ଦଳର କ୍ଷତି କରୁଛନ୍ତି। ଶୀଘ୍ର ସଭାପତି ଏହା ଉପରେ ପୂର୍ଣ୍ଣଛେଦ ପକାଇବା ଉଚିତ। ଅଧିକ ବିଳମ୍ବ କରିବା ଠିକ ହେଉନି ବୋଲି ପଦ୍ମନାଭ କହିଛନ୍ତି। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରହିଛି। ରାଜ୍ୟ ସଭା ଏମ୍ପି ମୁନା ଖାନ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ ଭେଟିଛନ୍ତି। ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ହେବ ସୁପ୍ରିମୋ କହିଥିବା ସେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ, ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଗଣେଶ୍ୱର ବେହେରା, ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ଘଡେଇ ଆଦି ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଥିସହିତ ସେମାନେ ଦଳରେ କାହାର ପତିଆରା ଚାଲିଛି ତାହା ପ୍ରକାଶ କରିବା ସହିତ ନବୀନଙ୍କୁ ସାମ୍ନାକୁ ଆସିବାକୁ କହିଛନ୍ତି।
ଏଭଳି ସ୍ଥିତିରେ ପାଣ୍ଡିଆନଙ୍କ ସପକ୍ଷ ଆସିଛନ୍ତି ରାଜ୍ୟସଭା ଏମ୍ପି ମାନସ ମଙ୍ଗରାଜ, ନିରଞ୍ଜନ ବିଶି, ସୁଲତା ଦେଓ ଏବଂ ସୁଭାଶିଷ ଖୁଣ୍ଟିଆ, ସୁବାଷ ସିଂହ। ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ଲେଖିଛନ୍ତି ଏମ୍ପି ନିରଞ୍ଜନ ବିଶି। ଦେବାଶିଷଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି ବୋଲି ସେ ଲେଖିଛନ୍ତି। କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କରିଥିବା ସେ କହିଛନ୍ତି।
ସେହିପରି ଦେବାଶିଷଙ୍କ ମନ୍ତବ୍ୟକୁ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ରାଜନୀତିରୁ ୧୦ ମାସ ହେଲା ଅବସର ନେଇ ସାରିଛନ୍ତି ପାଣ୍ଡିଆନ। କିଛି ନ୍ୟସ୍ତ ସ୍ବାର୍ଥ୍ୟ କାରଣରୁ ଦେବାଶିଷ ଏପରି କହିଛନ୍ତି। ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ବୋଲି ସେ ଉଲ୍ଳେଖ କରିଛନ୍ତି।