ଭୁବନେଶ୍ୱର,୯ା୧(ବ୍ୟୁରୋ): ସମଗ୍ର ରାଜ୍ୟରେ ଏବେ ପ୍ରବଳ ଶୀତର ଲହରି ଜାରି ରହିଛି। ତେବେ ରାଜ୍ୟରେ ଆହୁରି ଦୁଇଦିନ ଶୀତ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ହ୍ରାସ ପାଇବ। ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଫଳରେ ୫ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ର କହିଛି, ଯଦିଓ ଏହି ସମୟରେ ଶୀତ ସହନୀୟ, ତଥାପି ବୟସ୍କ ବ୍ୟକ୍ତି ଓ ଛୋଟପିଲା ବାହାରକୁ ନ ବାହାରିବା ଭଲ। ବିଶେଷକରି ରାତି ଓ ପାହାନ୍ତା ସମୟରେ ବାଇକ୍ ବା ଖୋଲା କାର୍ରେ ନ ବୁଲିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସେହିପରି ଗୃହପାଳିତ ପଶୁଙ୍କୁ ଖୋଲାରେ ନ ରଖି ଆବଶ୍ୟକ ଗୃହରେ ରଖିବାକୁ କୁହାଯାଇଛି। ଆସନ୍ତା ଦୁଇଦିନ ଧରି ଓଡ଼ିଶାର କିଛି ସ୍ଥାନରେ ଶୀତର ପ୍ରକୋପ ଜାରି ରହିବ। ବର୍ତ୍ତମାନ ରାତିରେ ଯେଉଁ ତାପମାତ୍ରା ରହୁଛି, ସେଥିରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବା ସହ ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।