Advertisement

ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଗୋଟିଏ ଭିୟୁ ପଏଣ୍ଟ

ଦାରିଙ୍ଗବାଡ଼ି,୨୫ା୫(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସାରା ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ପସନ୍ଦ କରନ୍ତି। ତେବେ ପର୍ଯ୍ୟଟନକ୍ଷେତ୍ରର ବିକାଶ ହେଉ ନ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଉଛି। ଏହାକୁ ନଜରରେ ରଖି ଅଞ୍ଚଳରେ ରହିଥିବା ହିଲ୍‌ଭିୟୁ ପଏଣ୍ଟ, ମିଡିୟୁାନ୍ଦା ଓ୍ବାଟର ଫଲ୍‌, ଲଭର୍ସ ପଏଣ୍ଟ ଆଦି କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ହିଲ୍‌ଭିୟୁ ପାର୍କର ରୂପାନ୍ତରୀକରଣ କାର୍ଯ୍ୟ ଜୋରଦାର କରାଯାଉଛି। ତେବେ ଗତ ଡିସେମ୍ବରରେ ନୂତନ ଜଳ ପ୍ରପାତ ପାଟାବାନ୍ଧାର ଲୋକାର୍ପଣ କରାଯାଇଥିବା ବେଳେ ଗୁରୁବାର ପୁଣି ଏକ ପର୍ଯ୍ୟଟନ କ୍ଷେତ୍ରର ଲୋକାର୍ପଣ କରାଯାଇଛି।

ପ୍ରକାଶ ଯେ, ଉକ୍ତ ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତରେ ରହିଥିବା ଏକ ପାହାଡ଼ ତଥା ସୁଲେଖସାରୁ ଭିୟୁ ପଏଣ୍ଟର ଲୋକାର୍ପଣ କରାଯାଇଛି। ଏହି ଭିୟୁ ପଏଣ୍ଟ ଉକ୍ତ ବ୍ଲକର ସବୁଠାରୁ ଉଚ୍ଚତମ ପାହାଡ଼ ଉପରେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ତେବେ ପ୍ରାଥମିକ ଭାବେ ପାହାଡ଼ କାଟି ରାସ୍ତା ସମ୍ପ୍ରସାରଣ କରାଯାଇଥିବା ବେଳେ ପକ୍କା ରାସ୍ତା ଓ ଗାର୍ଡ ଓ୍ବାଲ ଆଦି ଆଗକୁ କରାଯିବାକୁ ଯୋଜନା କରାଯାଇଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି। ଏହି ଭିୟୁ ପଏଣ୍ଟର ଲୋକାର୍ପଣ କାର୍ଯ୍ୟକ୍ରମ ରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପଣ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ କୁମାର ଦାସ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share