ବ୍ରହ୍ମପୁର ଉପକଣ୍ଠରେ ପୁଣି ଜଣେ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୧୨ା୫: ସହର ଓ ସହର ଉପକଣ୍ଠରେ ଏବେ ଆଇନ ଶୃଙ୍ଖଳା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଥିବା ଏକ ଜମିରେ ମୃତଦେହ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ। ଖବର ପାଇ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଓ ଏସ୍‌ଡିପିଓ ଶିବ ଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକ ଜଣଙ୍କ
ବାଉରୀ ସୁକୁଣ୍ଡା ଗ୍ରାମର ଗଙ୍ଗା ଦାସ(୨୪) ବୋଲି ଜଣାପଡ଼ିଛି। ଗଙ୍ଗା ବ୍ରହ୍ମପୁର ସହରର ଏକ ମଦ ବ୍ୟବସାୟୀଙ୍କ ଗାଡ଼ି ଡ୍ରାଇଭର ଭାବେ କାମ କରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଛି। ପୋଲିସ ଏବେ ଘଟଣାର ଛାନ୍‌ଭିନ୍‌ କରୁଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପ୍ରକାଶ ଥାଉ କି, ଗତ ୬ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରେ ଜଣେ ବସ୍‌ ହକର ସନାତନ ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା। ସେହିଭଳି ଗତ ୧୦ ତାରିଖ ରାତି ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ ଥିବା ସମ୍ପର୍କ ଟ୍ରାଭେଲସ ମାଲିକ କୁମୁଦ ବ୍ରହ୍ମା ଓ ତାଙ୍କର ଦୁଇ ଜଣ କର୍ମଚାରୀଙ୍କୁ ୫/୬ଯୁବକ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା ଉଦ୍ୟମ କରିଥିଲେ।