ଭାଇ ଅର୍ଜୁନଙ୍କୁ ମା’ ଦେଇଥିବା ସୁନ୍ଦର ଉପହାର କହିଲେ ଅଂଶୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜୁନ୍‌ ୨୬ ଅର୍ଥାତ୍‌ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆରେ ଭଉଣୀ ଅଂଶୁଲା କପୁର ଅର୍ଜୁନଙ୍କୁ ସ୍ବତନ୍ତ୍ର ଶୁଭେଚ୍ଛା ଜଣାଇଛନ୍ତି। ଅଂଶୁଲା ଅର୍ଜୁନଙ୍କ ସହ ଏକ ଫଟୋ ଶେୟାର କରି ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ମୋ’ ନିଶ୍ୱାସରେ ତୁମେ, ମୋ’ ଜୀବନରେ ତୁମେ ସବୁଠୁ ପ୍ରିୟ ଆଉ ଗୁରୁତ୍ୱପୂର୍ଣ୍ଣ ମଣିଷ। ତୁମେ ଏମିତି ମଣିଷ ଯେ କି, ମୋତେ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିଛ। ଯେଉଁ ସ୍ନେହର ସୀମା ନାହିଁ। ଭାଇ ତୁମେ ମୋ’ ଶକ୍ତି, ଯେଉଁଥିପାଇଁ ମୁଁ ସକାଳୁ ଉଠେ। ତୁମେ ମୋ’ ରକ୍ଷାକର୍ତ୍ତା, ତୁମେ ମୋ ମାଆ ବାପା, ଭାଇ, ବନ୍ଧୁ, ସାହସ ସବୁକିଛି। ପ୍ରତିଟି କଥାରେ ତୁମେ ମୋ’ର ଧ୍ୟାନ ରଖ। ଯେତେବେଳେ ମୁଁ କୌଣସି କାରଣ ଯୋଗୁ ଭାଙ୍ଗିପଡ଼େ ସେତେବେଳେ ତୁମେ ମୋତେ ସମ୍ଭାଳି ନିଅ। ସାହସ ଦିଅ। ତୁମେ ମୋତେ ଜୀବନରେ ଲଢ଼ିବା ଶିଖାଇଛ। ମୁଣ୍ଡ ଉଚ୍ଚା କରି ବଞ୍ଚିବା ଶିଖାଇଛ।


ତୁମେ ସବୁ ଅସୁବିଧାରେ ମୋ’ ହାତ ଧରିଛ। ତୁମେ ମୋତେ କେବେ ବି ମୋ ମା’କୁ ଭୁଲିଯିବାକୁ ଦିଅ ନାହିଁ। କିନ୍ତୁ ସେ ସେଠାରେ ନଥିବା ସତ୍ତ୍ୱେ ତୁମେ ମୋତେ କେବେ ବି ତାଙ୍କୁ ହରାଇବାକୁ ଦେଇ ନାହଁ। ମୁଁ ଯାହା ମାଗିଥିଲି ତା’ଠାରୁ ତୁମେ ମୋତେ ଅଧିକ ଦେଇଛ, ଏବଂ ଜାଣିନି କିପରି କିନ୍ତୁ ତୁମେ ସବୁବେଳେ ଜାଣିଛ ମୁଁ ଯାହା ଚାହେଁ, ଜାଣିବା ପୂର୍ବରୁ ମଧ୍ୟ। ତୁମ ଯୋଗୁ ମୁଁ ନିଜକୁ କେବେ ଏକୁଟିଆ ଅନୁଭବ କରିନାହିଁ। ତୁମେ ସେହି ଆଲୋକ ଯାହା ମୋତେ ଅନ୍ଧକାରରେ ମଧ୍ୟ ବାଟ ଦେଖାଇଛି। ତୁମେ ମୋର ଭୟ, ମୋ’ର ଖରାପ ଚିନ୍ତାଧାରା ଜାଣିଛ ତଥାପି ତୁମେ ମୋତେ ବହୁତ ଭଲ ପାଅ ଭାଇ ମୁଁ ଜାଣିଛି। ଅଂଶୁଲାଙ୍କ ଏଭଳି ଭାବପ୍ରବଣ ପୋଷ୍ଟରେ ୟୁଜରମାନେ ମଧ୍ୟ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Share