Advertisement
Categories: ରାୟଗଡା

ଓଡ଼ିଶା ଟିମ୍‌ରେ ମୁମ୍ବାଇ ଯିବେ ରାୟଗଡ଼ାର ଛାତ୍ର ଅଂଶୁମାନ

ରାୟଗଡ଼ା ଅଫିସ,୨୬।୬: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଦେଶରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଭାଷା ଓ ସଂସ୍କୃତିର ଆଦାନ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଓଡ଼ିଶାରୁ ୨୫ ଜଣିଆ ଛାତ୍ରୀଛାତ୍ର ଦଳ ଜୁନ୍‌ ୨୮ ରେ ମୁମ୍ବାଇ ଗସ୍ତ କରିବେ। ଏହି ଟିମ୍‌ରେ ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅଂଶୁମାନ ରଥ ରାୟଗଡ଼ା ଜିଲାକୁ ପ୍ରତିନିଧିତ୍ କରିବେ।
୨୫ ଜଣିଆ ଦଳରେ ୧୧ ଛାତ୍ରୀ ଥିବାବେଳେ ୧୪ ଛାତ୍ର ରହିଛନ୍ତି। କଟକ ଜିଲାରୁ ୧୦ ଜଣ, ଖୋର୍ଦ୍ଧାରୁ ୧୨ ଏବଂ ରାୟଗଡ଼ା, ବଲାଙ୍ଗୀର ଓ ବାଲେଶ୍ୱର ଜିଲାରୁ ଜଣେ ଲେଖାଏ ଛାତ୍ର ଏହି ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ଶିକ୍ଷା ବିଭାଗର ୨ ଅଧିକାରୀ ଶଶଧର ନାୟକ ଏବଂ ସୁଜାତା ମହାପାତ୍ର ୨୫ ଜଣିଆ ଦଳର ନେତୃତ୍ୱ ନେଉଛନ୍ତି। ଏହି ଟିମ୍‌ ୨୮ରେ ଭୁବନେଶ୍ବରରୁ ବିମାନ ଯୋଗେ ମୁମ୍ବାଇ ଯିବେ। ଟିମ୍‌ ଜୁଲାଇ ୪ରେ ପୁଣି ଓଡ଼ିଶା ଫେରିବ। ୭ ଦିନ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ରାଜ୍ୟର ପ୍ରମୁଖ ସ୍ଥାନ ପରିଭ୍ରମଣ କରାଇବା ସହ ସେଠାକାର ଭାଷା, ସଂସ୍କୃତି ସହ ଓଡ଼ିଶା ପିଲାଙ୍କୁ ଅବଗତ କରାଇବା ଏବଂ ଓଡ଼ିଶା ଭାଷା, ସଂସ୍କୃତି ନେଇ ସେଠାକାର ପିଲାଙ୍କ ସହ ଆଦାନ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଥିବା ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ଦାସ ସୂଚନା ଦେଇଛନ୍ତି। ତେବେ ଏହି ଟିମ୍‌ରେ ଦକ୍ଷିଣ ଓଡ଼ିଶାରୁ ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଂଶୁମାନ ରଥ ମନୋନୀତ ହୋଇଥିବାରୁ ଏହା ଜିଲା ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି ଅଧ୍ୟକ୍ଷ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel