Categories: ଖେଳ

ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ୍‌: ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚାମ୍ପିୟନ

ଭୁବନେଶ୍ୱର, ୨୧।୧୦(ତପନ ସ୍ବାଇଁ): ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ପୋଟର୍‌ସ କାଉନସିଲ୍‌ ଆନୁକୂଲ୍ୟରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ୍‌ ଟୁର୍ନାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚାମ୍ପିୟନ ହୋଇଛି। ଜଗତପୁରର ଏଲ୍‌ଏନ ସାହୁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଫାଇନାଲରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ), ଭୁବନେଶ୍ୱରର ମହିଳା ଦଳ ୨-୦ ସେଟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ମହିଳା ଦଳକୁ ପରାସ୍ତ କରି ଏହି ସଫଳତା ପାଇଛି। ପୂର୍ବରୁ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଜିସିପିଇ ୨-୦ ସେଟ୍‌ରେ ରିଜିଓନାଲ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଏଜୁକେଶନ୍‌କୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ସେମିଫାଇନାଲରେ ଜିସିପିଇ ଆୟୋଜକ ଏଲ୍‌ଏନ୍‌ ସାହୁ ମହାବିଦ୍ୟାଳୟ, ଜଗତପୁରକୁ ୨-୦ ସେଟ୍‌ ରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା। ଜିସିପିଇ ପକ୍ଷରୁ ଅନୁସୂୟା (ଅଧିନାୟକା), ରୁଚିସ୍ମିତା, ମାମୁନି, କୌଶଲ୍ୟା, ବିଜୟଲକ୍ଷ୍ମୀ, ଜ୍ୟୋତ୍ସ୍ନା, ମାମାଲି, ମଧୁସ୍ମିତା, ସସ୍ମିତା, ଫାଲଗୁନି, ମନୀଷା, ମାଳତୀ ପ୍ରମୁଖ ପ୍ରତିନିଧିତ୍ୱ କରିଥିଲେ। ଅଧ୍ୟାପିକା ପତ୍ରପୁଷ୍ପା ମହାନ୍ତି ଦଳର ପ୍ରଶିକ୍ଷକ ତଥା ପରିଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ । ମହିଳା ଦଳର ଏହି ସଫଳତା ପାଇଁ ଅଧ୍ୟକ୍ଷା ସଙ୍ଗୀତାରାଣୀ ଟପ୍ପୋ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share