ଶୀଘ୍ର ତରଳିବ ଆଣ୍ଟାର୍କଟିକା ବରଫ

ଲଣ୍ଡନ, ୧୩।୪(ଆଇଏଏନ୍‌ଏସ): ଆଣ୍ଟାର୍କଟିକାର ଥ୍ବାଇଟ୍ସ ଗ୍ଲେସିୟର ବା ଡୁମ୍ସଡେ ଗ୍ଲେସିୟର ଯେତେବଡ଼ ବୋଲି ପୂର୍ବରୁ ଆକଳନ କରାଯାଉଥିଲା, ତାହା ତୁଳନାରେ ଯଥେଷ୍ଟ ଅଧିକ ବିଶାଳ ବୋଲି ଜଣାପଡ଼ିଛି। ତେବେ ଏହାର ନିମ୍ନ ଭାଗରେ ଉଷ୍ମ ତଥା ଲବଣ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ଏହା ପୂର୍ବାପେକ୍ଷା ଅଧିକ ତୀବ୍ର ଗତିରେ ତରଳିବା ସହ ବରଫ ପ୍ରବାହ ବଢ଼ାଇବ ବୋଲି ଗବେଷକମାନେ ମତ ଦେଇଛନ୍ତି। ଏଭଳି ଦ୍ରୁତ ଗତିରେ ଉକ୍ତ ଗ୍ଲେସିୟର ତରଳିଲେ ସମୁଦ୍ର ପତ୍ତନ ବିପଜ୍ଜନକ ଭାବେ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି।
ଡୁମ୍ସଡେ ଗ୍ଲେସିୟର ଆକାରରେ ବ୍ରିଟେନଠାରୁ ବଡ଼। ଏହା ଦ୍ରୁତ ବେଗରେ ତରଳିଲେ ବିଶ୍ୱର ଅନେକ ଉପକୂଳ ଜଳାର୍ଣ୍ଣବ ହେବା ସମ୍ଭାବନା ରହିଛି। ପ୍ରଥମ ଥର ପାଇଁ ଗବେଷକମାନେ ଉକ୍ତ ଗ୍ଲେସିୟରର ନିମ୍ନ ଭାଗକୁ ମାପିବାରେ ସକ୍ଷମ ହୋଇଛନ୍ତି। ରାନ୍‌ ନାମକ ଏକ ବୁଡ଼ାଜାହାଜକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା, ଯାହା ଗ୍ଲେସିୟର ତଳଭାଗ ଦେଇ ଅତିକ୍ରମ କରିଥିଲା। ଏହା ଗ୍ଲେସିୟର ଆକାର ମାପିବା ସହ ଏହା ତଳେ ପ୍ରବାହିତ ହେଉଥିବା ସାମୁଦ୍ରିକ ସ୍ରୋତର ଶକ୍ତି, ତାପମାତ୍ରା, ଲବଣାଂଶ ଏବଂ ଅମ୍ଳଜାନ ପରିମାଣକୁ ମାପିଥିଲା। ବିଭିନ୍ନ ସ୍ଥାନରେ ଏହି ମାପରେ ପାର୍ଥକ୍ୟ ଦେଖାଦେଇଥିବାରୁ ସେଠାରେ ବିଭିନ୍ନ ସମୁଦ୍ରର ଜଳ ପରସ୍ପର ସହ ମିଶୁଥିବା ସ୍ପଷ୍ଟ ହୋଇଛି। ତେଣୁ ପଶ୍ଚିମ ଆଣ୍ଟାର୍କଟିକା ବରଫ ଚାଦରର ଭବିଷ୍ୟତ କ୍ରମ ବିକାଶ ସମ୍ପର୍କରେ ପୂର୍ବାନୁମାନ କରିବା ନେଇ ବଡ଼ ଅନିଶ୍ଚିତତା ଦେଖାଦେଇଥିବା ସୁଇଡେନର ଗୋଥେନବର୍ଗ ୟୁନିଭର୍ସିଟି ପ୍ରଫେସର ଆନ୍ନା ଓ୍ବାହଲିନ୍‌ କହିଛନ୍ତି। ବିଭିନ୍ନ ପାର୍ଶ୍ୱରୁ ଆସୁଥିବା ଉଷ୍ମ ଜଳପ୍ରବାହ ଗ୍ଲେସିୟରର ସ୍ଥାୟିତ୍ୱ ପ୍ରତି ବିପଦ ସୃଷ୍ଟି କରିଥିବା ସାଇନ୍ସ ଆଡଭାନ୍ସେସ ପତ୍ରିକାରେ ପ୍ରକାଶ ପାଇଛି।

Share