Categories: ବାଣିଜ୍ୟ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର, ୬।୧୧: ଦେଶର ପ୍ରମୁଖ ନବରତ୍ନା କମ୍ପାନୀ ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ସାଧାରଣ ଜୀବନରେ ଅଖଣ୍ଡତା, ସାଧୁତା ଏବଂ ଉତ୍ତରଦାୟିତ୍ୱର ବାର୍ତ୍ତା ପ୍ରଚାର ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କ୍ରମରେ ଭୁବନେଶ୍ୱର ଏବଂ କଟକର ଅଗ୍ରଣୀ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ୩୦ଟି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରୀଛାତ୍ର ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସେହିଭଳି କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲାବେଳେ ନିକଟରେ ନାଲକୋ କର୍ପୋରେଟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ନାଲକୋର ସିଏମଡି ଶ୍ରୀଧର ପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଦୁର୍ନୀତି ବିରୋଧ ଲଢେଇରେ ଆଚରଣଗତ ପରିବର୍ତ୍ତନ ପାଇଁ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସେ କହିଥିଲେ, ଭଲ କାର୍ଯ୍ୟ, ଉତ୍ତମ ଚିନ୍ତାଧାରା, ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ଦୁର୍ନୀତିଗ୍ରସ୍ତ ପ୍ରଥାକୁ ନିରୁତ୍ସାହିତ କରିବାର ଉପାୟ ଅଟେ। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଫରେଷ୍ଟ ଇଣ୍ଟିଗ୍ରେଟେଡ୍‌ ରିଜିଓନାଲ ଅଫିସର ଡେପୁଟି ଡାଇରେକ୍ଟର ଜେନେରାଲ୍‌ ଆର୍ତ୍ତତ୍ରାଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ନାଲକୋର ନିର୍ଦ୍ଦେଶକ (ବିତ୍ତ) ରମେଶ ଚନ୍ଦ୍ର ଯୋଶୀ, ନିର୍ଦ୍ଦେଶକ (ଉତ୍ପାଦନ) ପଙ୍କଜ କୁମାର ଶର୍ମା ଏବଂ ମୁଖ୍ୟ ସତର୍କତା ଅଧିକାରୀ ସୋମନାଥ ହାନ୍ସଦା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏପରିକି ପ୍ରାରମମ୍ଭିକ ବକ୍ତବ୍ୟରେ ସୋମନାଥ ହାଁସଦା ଗତ ତିନି ମାସ ମଧ୍ୟରେ ନାଲକୋ ଭିଜିଲାନ୍ସ ବିଭାଗ ଦ୍ୱାରା ଦୁର୍ନୀତିର ମୁକାବିଲା ସଚେତନତା ପ୍ରସାର ନିମନ୍ତେ କରାଯାଇଥିବା କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ମିଶ୍ର ତାଙ୍କ ସମ୍ବୋଧନରେ ପ୍ରତିଯୋଗିତା ପରିବର୍ତ୍ତେ ସହଯୋଗ ମାଧ୍ୟମରେ କିପରି ବିଶ୍ୱକୁ ଏକ ଉତ୍ତମ ସ୍ଥାନ ରୂପେ ଗଢାଯାଇପାରିବ ସେ ବିଷୟରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ।

Share