ତେଜିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ

କେନୋଶା,୨୬ା୮(ଏ.ପି.): ଆମେରିକାର ମିନିଆପଲିସରେ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସର ଗୁଳିମାଡ଼ ପରେ ଆହୁରି ବ୍ୟାପକ ହୋଇଛି। ଓ୍ବିସ୍କୋନ୍‌ସିନର କେନୋଶା ସହରରେ ରବିବାର ରାତିରେ ଜଣେ କୃଷ୍ଣକାୟଙ୍କୁ ପୋଲିସ ୭ଟି ଗୁଳି ମାରିଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା କରାଯାଉଛି। ଏହି ଘଟଣାକୁ ନେଇ ଆମେରିକା ପୁଣିଥରେ ଅଶାନ୍ତ ହୋଇଯାଇଛି। ପୋଲିସର ଗୁଳିକାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ମିଳିଥିବା ସୂଚନାନୁସାରେ କେନୋଶାର ମୋଟ ଜନସଂଖ୍ୟାର ୧୨% କୃଷ୍ଣକାୟ ହୋଇଥିବାବେଳେ ୬୭% ହେଉଛନ୍ତି ଶ୍ୱେତାଙ୍ଗ। ଜାକୋବ ବ୍ଲାକ୍‌ ନାମକ ୨୯ ବର୍ଷୀୟ ଆଫ୍ରିକୀୟ ଆମେରିକୀୟ ନିଜ ୩ ପୁଅଙ୍କୁ କାର୍‌ରେ ନେଇ ଯାଉଥିଲେ। ସେ କାର୍‌ରେ ଚଳାଉଥିବାବେଳେ ପଛ ସିଟ୍‌ରେ ତାଙ୍କର ୩ ପୁଅ ବସିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଜନ୍ମଦିନ ଥିଲା। ଜାକୋବ୍‌ କାର୍‌ର ଡୋର୍‌ ଖୋଲିବାବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଘଟଣାକୁ ନେଇ ସୋମବାର ରାତି ୮ଟାରେ କୃଷ୍ଣକାୟମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ‘ନ୍ୟାୟ ନାହିଁ, ଶାନ୍ତି ନାହିଁ’ ବୋଲି ସେମାନେ ସ୍ଲୋଗାନ ଦେଉଥିବାବେଳେ କେତେଜଣ ପୋଲିସ ଅଧିକାରୀ କୋର୍ଟହାଉସ୍‌ର ପ୍ରବେଶ ପଥରେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଥିତ୍ଲେ। କିନ୍ତୁ ଶତାଧିକ ବିକ୍ଷୋଭକାରୀ ପୋଲିସ ଆଡ଼କୁ ମାଡ଼ିଯାଇ ନିଆଁ ଜଳାଇଥିଲେ। କୋର୍ଟହାଉସ୍‌ ନିକଟରେ ଥିବା ଏକ ଟ୍ରକ୍‌କୁ ସେମାନେ ଜାଳିଦେଇଥିଲେ। ବିକ୍ଷୋଭକାରୀ କର୍ଫ୍ୟୁକୁ ଅବଜ୍ଞା କରି ଆନ୍ଦୋଳନ କରୁଥିବାବେଳେ ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ବୋତଲ ଫିଙ୍ଗିଥିଲେ। ଓ୍ବିସ୍କୋନ୍‌ସିନ ଗଭର୍ନର ଘଟଣାର ନିନ୍ଦା କରିବା ସହ ନ୍ୟାଶନାଲ ଗାର୍ଡ ମୁତୟନ କରାଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ ଯୋଗୁ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ଯୋଗୁ ସୃଷ୍ଟି ହୋଇଥିବା ‘ବ୍ଲାକ୍‌ ଲାଇଫ୍‌ ମ୍ୟାଟର୍ସ’ ଆନ୍ଦୋଳନର ୩ ମାସ ପରେ ଏହି ଘଟଣା ଟ୍ରମ୍ପ୍‌ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଦେଇଛି।

Share