ଲଣ୍ଡନ,୪।୪ : ଜଣେ ଭାରତୀୟ ଛାତ୍ର ଦାବି କରିଛନ୍ତି ଯେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଛାତ୍ର ସଂଗଠନ ନିର୍ବାଚନରୁ ଅଯୋଗ୍ୟ ହୋଇଛନ୍ତି। କାରଣ ସେ ଜଣେ ଭାରତୀୟ ଏବଂ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି। ତାଙ୍କୁ ବଦନାମ କରିବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ଭାରତୀୟ ଛାତ୍ର ଦାବି କରିଛନ୍ତି। ହରିୟାଣାର ବାସିନ୍ଦା କରଣ କାଟାରିଆ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଆଇନ ମାଷ୍ଟର ଡିଗ୍ରୀ କରୁଛନ୍ତି।
କରଣ କହିଛନ୍ତି ଯେ ତାଙ୍କ ସହକର୍ମୀଙ୍କ ନିର୍ଦ୍ଦେଶରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ଛାତ୍ର ସଂଗଠନ ନିର୍ବାଚନରେ ସାଧାରଣ ସମ୍ପାଦକ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଗତ ସପ୍ତାହରେ ଆସିଥିବା ଫଳାଫଳରେ ସେ ଅଯୋଗ୍ୟ ହୋଇଥିଲେ। କରଣ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ କିଛି ଲୋକ ସହ୍ୟ କରି ନ ଥିଲେ ଯେ ଜଣେ ଭାରତୀୟ ହିନ୍ଦୁ ଛାତ୍ର ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ନେତୃତ୍ୱ ନେବେ। ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି ।
କରଣ କହିଛନ୍ତି ଯେ ଜଣେ ଭାରତୀୟ ଏବଂ ହିନ୍ଦୁ ହୋଇଥିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିବା ଦେଖି ସେ ଯନ୍ତ୍ରଣା ଅନୁଭବ କରିଥିଲେ। ଛାତ୍ର ସଂଗଠନ ନିର୍ବାଚନ ସମୟରେ ପ୍ରତ୍ୟେକ ଦେଶର ଛାତ୍ରମାନେ ତାଙ୍କୁ ସମର୍ଥନ କରିଥିଲେ, କିନ୍ତୁ ସେ ଇସଲାମୋଫୋବିକ ଏବଂ ହିନ୍ଦୁ ଜାତୀୟତାବାଦୀ ହୋଇଥିବାରୁ ତାଙ୍କୁ ଅଯୋଗ୍ୟ କରାଯାଇଥିଲା। ଯେଉଁମାନେ ମୋ ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଚିହ୍ନଟ କରିବା ଏବଂ ଦଣ୍ଡ ଦେବା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୋ ପକ୍ଷ ନ ଶୁଣି ମତେ ଅଯୋଗ୍ୟ ଘୋଷିତ କରିଥିଲେ।