ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର

ଚିତ୍ରକୋଣ୍ଡା,୨୫ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଏବଂ ଯୋଡ଼ାମ୍ବ ଭଳି ବିଭିନ୍ନ ସ୍ଥାନରେ ରବିବାର ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ମାଓବାଦୀମାନେ ବିପ୍ଳବ ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ସେମାନଙ୍କ ମୁଖା ଖୋଲିଗଲାଣି ବୋଲି ଏଥିରେ ଉଲ୍ଲେଖ ରହିଛି। ନୃଶଂସ ମାଓବାଦୀମାନେ ମିଛ କହିବା ବନ୍ଦ କର, ଆଦିବାସୀଙ୍କୁ ବଞ୍ଚିବାକୁ ଦିଅ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଯୋଡ଼ାମ୍ବ ଥାନା ଅଧୀନ ଖଜୁରିଗୁଡ଼ା ଗ୍ରାମରେ ୨୦ତାରିଖ ରାତିରେ ୩୦ରୁ ଊର୍ଦ୍ଧ୍ୱ ମାଓବାଦୀ ପଶି ଗାଁର ଦାସୁ ଖେମୁଡୁ, ସନା ହନ୍ତାଳ ଓ ସମରୁ ଖିଲଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ନିର୍ଧୂମ୍‌ ମାଡ଼ ମାରିଥିଲେ। ଶେଷରେ ଦାସ ଖେମୁଡ଼ୁଙ୍କୁ ଗଳା କାଟି ହତ୍ୟା କରିଥିଲେ। ଉକ୍ତ ଘଟଣାର ପୂର୍ବଦିନ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟକରି ଲ୍ୟାଣ୍ଡମାଇନ ମଧ୍ୟ ବିଛାଯାଇଥିଲା। କିନ୍ତୁ ମାଓବାଦୀଙ୍କ ଯୋଜନା ବିଷୟରେ ସୁରକ୍ଷା ବାହିନୀକୁ ଆଗୁଆ ସୂଚନା ମିଳିଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଓବାଦୀମାନେ ହତ୍ୟାକାଣ୍ଡ ଘଟାଇଥିଲେ। ଏହାପୂର୍ବରୁ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ଫେବୃୟାରୀ ୧୧ରେ ତାବେର(ଯନ୍ତ୍ରୀ) ଗ୍ରାମର ସାଧୁ ପାଙ୍ଗୀ ଓ ମାଲେଶ ମୁଦୁଲିଙ୍କୁ ହତ୍ୟା କରାଯାଇଥିଲା। ସେହିପରି ମାର୍ଚ୍ଚ ୨୩ରେ ଯୋଡ଼ାମ୍ବର ଦିନବନ୍ଧୁ ସରକାରଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ।