ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ବିରୋଧି ମେଳି

ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.)-ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଲକାନଗିରି ଜିଲା ଯୋଡ଼ାମ୍ବ ଥାନା ଅଧୀନ ଖଜୁରୀଗୁଡ଼ା ଗ୍ରାମର ଦାସୁ ଖେମୁଡୁ ହତ୍ୟାକାଣ୍ଡ ଏବଂ ଅନ୍ୟ ୩ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ଘଟଣା ପରେ ଗାଁ ଅଶାନ୍ତ ହୋଇପଡ଼ିଛି। ମାଓବାଦୀଙ୍କ ହିଂସାକାଣ୍ଡ ବିରୋଧରେ ଅଞ୍ଚଳବାସୀ ଏକାଠି ହୋଇଛନ୍ତି। ରବିବାର ମାଓବାଦୀ କାର୍ଯ୍ୟକଳାପ ବିରୋଧରେ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ସେହିପରି ସୋମବାର ଖଜୁରୀପଡ଼ାରେ ଶତାଧିକ ଆଦିବାସୀ ଏକତ୍ରିତ ହୋଇ ପ୍ଲାକାର୍ଡ ଏବଂ ପୋଷ୍ଟର ଧରି ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ମାଓବାଦୀଙ୍କ ବିରୋଧରେ ବର୍ଷିବା ସହ ହିଂସା ନୁହେଁ ଆମେ ଶାନ୍ତି ଚାହୁଁ ବୋଲି କହିଛନ୍ତି। ପଞ୍ଚାୟତବାସୀ ଏକତାର ସହ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ପଣସପୁଟ, ଯନ୍ତ୍ରୀ ଓ ଅଣ୍ଡିରାପାଲି ଗ୍ରାମବାସୀଙ୍କୁ ଆହ୍ବାନ କରିଛନ୍ତି। ମାଓବାଦୀମାନେ ଆଦିବାସୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେମାନେ ମିଳିମିଶି ଲଢ଼େଇ କରିବାକୁ ଅଣ୍ଟାଭିଡ଼ିଥିବା ଦେଖିବାକୁ ମିଳିଛି।