Categories: ଜାତୀୟ

କଶ୍ମୀରରେ ପାକିସ୍ତାନ ବିରୋଧୀ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୨୨ା୧୦: ଜମ୍ମୁ-କଶ୍ମୀରର ଗନ୍ଦେରବଲ ଜିଲାର ଏକ ନିର୍ମାଣାଧୀନ ଟନେଲରେ ରବିବାର ରାତିରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତର ଓ ୬ ଶ୍ରମିକ ନିହତ ହୋଇଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ନିଜକୁ ଦାୟୀ କରିଛି। ଏଲ୍‌ଇଟିର ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆର୍‌ଏଫ୍‌) ପୂର୍ବରୁ ବାହାର ଲୋକଙ୍କୁ ଟାର୍ଗେଟ କରିଆସିଥିବାବେଳେ ପ୍ରଥମ ଥର ପାଇଁ ଉଭୟ କଶ୍ମୀରୀ ଓ ଅଣକଶ୍ମୀରୀଙ୍କୁ ଆକ୍ରମଣ କରିଛି। ଟିଆର୍‌ଏଫ୍‌ ମୁଖ୍ୟ ଶେଖ୍‌ ସଜ୍ଜାଦ ଗୁଲ୍‌ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଓ୍ବାଣ୍ଟେଡ୍‌ ଲିଷ୍ଟରେ ରହିଛନ୍ତି।
୨୦୨୨ରେ ଏନ୍‌ଆଇଏ ଗୁଲ୍‌ ଓ ଅନ୍ୟ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା। ଏହା ପୂର୍ବରୁ ଟିଆର୍‌ଏଫ୍‌ ଦେଢ଼ବର୍ଷ ଧରି ଅନେକ କଶ୍ମୀରୀ ପଣ୍ଡିତ, ଶିଖ୍‌ ଓ ବାହାର ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲା। ଗନ୍ଦେରବଲ ଜିଲାର ସୋନାମାର୍ଗରେ ନିର୍ମାଣାଧୀନ ଟନେଲରେ ସଦ୍ୟ ଆକ୍ରମଣର ମାସକ ପୂର୍ବରୁ ଏହି ଅଞ୍ଚଳରେ ଟିଆର୍‌ଏଫ୍‌ ସ୍ଥିତି ଅନୁଧ୍ୟାନ କରିଥିଲା। ୨୦୧୯ ପରେ ଏହାକୁ ସବୁଠୁ ବଡ଼ ଟାର୍ଗେଟ କିଲିଂ କୁହାଯାଉଛି।
ଇତିମଧ୍ୟରେ ଜମ୍ମୁ ଓ ଶ୍ରୀନଗର ସମେତ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଭାଗରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିବସେନା, ଡୋଗ୍ରା ଫ୍ରଣ୍ଟ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସୋମବାର ପାକିସ୍ତାନର ଜାତୀୟ ପତାକାରେ ନିଅଁା ଲଗାଇବା ସହ ପଡ଼ୋଶୀ ଦେଶ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଗନ୍ଦେରବଲ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ତୁରନ୍ତ ନିପାତ କରାଯାଉ ବୋଲି ସଙ୍ଗଠନଗୁଡ଼ିକ ଦାବି କରିଛନ୍ତି।

Share