ପୋଲିସ ବିରୋଧରେ ଲାଗିଲା ପୋଷ୍ଟର, ଜୁଆ ଖେଳ ପଛରେ ପୋଲିସ କର୍ମଚାରୀଙ୍କ ହାତ

ଉମରକୋଟ ୧୩।୨: ନବରଙ୍ଗପୁରପୁ ଜିଲା ରାଇଘର ଥାନା ଅନ୍ତର୍ଗତ କୁକୁରକୁଆଁ ଗ୍ରାମ ନିକଟରେ ରାସ୍ତା ଉପରେ ଗଛକାଟି ଲଗାଯାଇଛି ପୋଷ୍ଟର । କିନ୍ତୁ ପୋଷ୍ଟରରେ କୌଣସି ସଂଗଠନର ନାଁ ଉଲ୍ଲେଖ ନାହିଁ। କେବଳେ ଧଳା କପଡ଼ାରେ ଲାଲ ରଙ୍ଗ ଦେଇ ପୋଷ୍ଟରଟି ଲଗାଯାଇଛି ।

ପୋଷ୍ଟରରେ ଲେଖାଯାଇଛି, ରାଇଘର ପୋଲିସ ଓ ଉମରକୋଟ ଏସଡିପିଓ ଅନୁମତିରେ ଗତ ଫେବୃଆରୀ ୧୦ ଶନିବାର ରାତିରେ ନକଟିସିମୋଡା ଓ ମାରିପାରା ଗାଁରେ ଜୁଆ ଖୁଡିଖୁଡିର ୨୨ଟି ପସରା ଲାଗିଥିଲା । ଲୋକଙ୍କୁ ଜୁଆ ଖେଳାଇ ସର୍ବହରା ହେବା ପଛରେ ରାଇଘର ପୋଲିସ ଏବଂ ଉମରକୋଟ ଏସଡିପିଓଙ୍କ ହାତ ରହିଛି । ଏଥର ୨୬ଟି ପଞ୍ଚାୟତରେ ଜୁଆ ଖୁଡିଖୁଡି ଖେଳ ବନ୍ଦ ନ ହୁଏ ତାହେଲେ ନିଆଁ ଜଳିବ ବୋଲି ସେଥିରେ ଉଲ୍ଲେଖ ରହିଛି । ଯେଉଁ ଗାଁରେ ଜୁଆ ଖେଳ ହୁଏ, ସେହି ଗାଁର ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ତେବେ କିଏ ଏଭଳି ପୋଷ୍ଟର ଲଗାଇଛି ତାହା ସଷ୍ଟ ହୋଇ ନ ଥିବାବେଳେ ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ଏହାର ତଦନ୍ତ କରିବା ସହ ଲଗାଯାଇଥିବା ପୋଷ୍ଟର ଜବତ କରିଛି ।

Share